ନୂଆଦିଲ୍ଲୀ: ସରକାର ଶୁକ୍ରବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି ଯେ ପ୍ରଚଳିତ ନିୟମ ଅନୁଯାୟୀ ୱେଟିଂ ଲିଷ୍ଟରେ ଥିବା ଯାତ୍ରୀମାନେ ଟ୍ରେନର ସଂରକ୍ଷିତ ବଗିରେ ଯାତ୍ରା କରିପାରିବେ ନାହିଁ। ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଅଣସଂରକ୍ଷିତ ବଗିରେ ଯାତ୍ରା କରୁଥିବା ୱେଟିଂ ଲିଷ୍ଟରେ ଥିବା ଯାତ୍ରୀ କିମ୍ବା ସଂରକ୍ଷିତ ବଗିରେ ଅନଧିକୃତ ଭାବେ ଯାତ୍ରା କରୁଥିବା ଯାତ୍ରୀଙ୍କ ବିବରଣୀ ରଖାଯାଇନାହିଁ। ସୂଚନାଯୋଗ୍ୟ, ଭାରତରେ ପର୍ବପର୍ବାଣୀ ସମୟରେ ଟ୍ରେନରେ ସଂରକ୍ଷଣକୁ ନେଇ ଅନେକ ହଙ୍ଗାମା ହୋଇଥାଏ। ୱେଟିଂ ଲିଷ୍ଟରେ ଥିବା ଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥାଏ।
ଗତ ତିନି ବର୍ଷ ମଧ୍ୟରେ ଦେଶରେ ସମୁଦାୟ କେତେ ଯାତ୍ରୀ କନଫର୍ମ ଟିକେଟ ଉପଲବ୍ଧ ନଥିବାରୁ ୱେଟିଂ ଲିଷ୍ଟ ଟିକେଟରେ ଯାତ୍ରା କରିବାକୁ ପଡିଛି ତାହାର ବିବରଣୀ ଦେବାକୁ ସଞ୍ଜୟ ସିଂ ମନ୍ତ୍ରୀଙ୍କୁ କହିଥିଲେ। ୱେଟିଂ ଲିଷ୍ଟରେ ଥିବା ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ କରାଯାଉଥିବା ପ୍ରୟାସ ସମ୍ପର୍କରେ ମଧ୍ୟ ସେ ସୂଚନା ମାଗିଥିଲେ।
ଭାରତୀୟ ରେଳବାଇ ଅଧୀନରେ ଚଳାଚଳ କରୁଥିବା ସମସ୍ତ ଟ୍ରେନର ୱେଟିଂ ଲିଷ୍ଟର ସ୍ଥିତି ନିୟମିତ ଭାବେ ତଦାରଖ କରାଯାଉଛି। ଅତିରିକ୍ତ ଚାହିଦା ପୂରା କରିବାକୁ ରେଳବାଇ ପାର୍ବଣ, ଛୁଟି ଆଦି ସମୟରେ ସ୍ବତନ୍ତ୍ର ରେଳ ଚଳାଚଳ କରାଯାଇଥାଏ ଏବଂ ବିଭିନ୍ନ ଶ୍ରେଣୀର ଯାତ୍ରୀଙ୍କ ପାଇଁ ଟ୍ରେନରେ ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ସ୍ତରରେ ଅତିରିକ୍ତ ସିଟ୍ର ବ୍ୟବସ୍ଥା କରିଥାଏ।
ଅଧିକ ପଢ଼ନ୍ତୁ: ଜାତୀୟ ନିରାପତ୍ତାକୁ ଫିଲ୍ଟର କରିବାର ଆବଶ୍ୟକତା ରହିଛି