ଅମରାବତୀ: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ତାଡେପଲ୍ଲୀରେ ୱାଇଏସ୍ଆର କଂଗ୍ରେସ ପାର୍ଟିର ନିର୍ମାଣାଧୀନ କେନ୍ଦ୍ରୀୟ କାର୍ଯ୍ୟାଳୟକୁ କଥିତ ବେଆଇନ୍ ଦର୍ଶାଇ ଶନିବାର ଭୋରରୁ ଧ୍ବଂସ କରିଦିଆଯାଇଛି। ମଙ୍ଗଲଗିରି-ତାଡେପଲ୍ଲୀ ନଗର ନିଗମ (ଏମ୍ଟିଏମ୍ସି)ର ଅଧିକାରୀମାନେ ଆଜି ସକାଳୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟାଳୟ ଭାଙ୍ଗିବା ପାଇଁ ଏକାଧିକ ବୁଲଡୋଜର ନିୟୋଜିତ କରାଯାଇଥିଲା। ଦେଖୁଦେଖୁ କିଛି ସମୟ ଭିତରେ ବୃହତ୍ କାର୍ଯ୍ୟାଳୟ ମାଟିରେ ମିଶିଯାଇଥିଲା।
କ୍ୟାପିଟାଲ ରିଜନ ଡେଭଲପମେଣ୍ଟ ଅଥରିଟି (ସିଆରଡିଏ) କଥିତ ବେଆଇନ ନିର୍ମାଣ ମାମଲାରେ ୱାଇଏସ୍ଆରସିପିକୁ ନୋଟିସ ଜାରି କରିଥିଲା। ଏହା ପରେ ୱାଇଏସ୍ଆରସିପି ଶୁକ୍ରବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ପାର୍ଟିର ଜଣେ ମୁଖପାତ୍ର ଦାବି କରିଥିଲେ ଯେ, ଅଦାଲତ କୌଣସି ପ୍ରକାରରେ ଧ୍ବସ୍ତୀକରଣ ଗତିବିଧି ଉପରେ ରୋକ ଲଗାଇବାକୁ ଆଦେଶ ଦେଇଥିଲେ। ୱାଇଏସ୍ଆରସିପିର ଓକିଲ ସିଆରଡିଏ ଆୟୁକ୍ତଙ୍କୁ ଏବାବଦରେ ସୂଚନା ଦେଇଥିଲେ।
ସିଆରଡିଏ ଏବଂ ଏମ୍ଟିଏମ୍ସିର ଅଧିକାରୀଙ୍କ କହିବା ଅନୁସାରେ ୱାଇଏସ୍ଆରସିପି କାର୍ଯ୍ୟାଳୟ ଜଳସେଚନ ବିଭାଗର ଜମି ଉପରେ ନିର୍ମାଣ କରାଯାଇଥିଲା। ଅଭିଯୋଗ ଅନୁସାରେ ଜଗନମୋହନ ରେଡ୍ଡୀଙ୍କ ନେତୃତ୍ବରେ ୱାଇଏସ୍ଆରସିପିର ଗତ ସରକାର କାଳରେ ଏମଟିଏମ୍ସି ଓ ସିଆରଡିଏ ଠାରୁ ମଂଜୁରୀ ନନେଇ ନିର୍ମାଣ କରାଯାଇଥିଲା। ଅନ୍ୟପଟରେ ୱାଇଏସ୍ଆରସିପି ସଭାପତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜନୈତିକ ପ୍ରତିଶୋଧର ସାହାରା ନେଇଛନ୍ତି। ଉଚ୍ଚନ୍ୟାୟାଳୟର ନିର୍ଦ୍ଦେଶକୁ ପାଳନ କରି ନାହାନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ହାଇଦ୍ରାବାଦ ନଗର ନିଗମ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କ ନିବାସ ଲୋଟସ୍ ପୌଡ ନିକଟ ଫୁଟପାଥରେ ବୁଲଡୋଜର ଲଗାଇଥିଲା। ଏହା ବେଆଇନ୍ ନିର୍ମାଣ କରାଯାଇଥିଲା। ଅଧିକାରୀମାନେ କହିଛନ୍ତି, କଲୋନିର ନିବାସୀ ଏହି ବେଆଇନ ନିର୍ମାଣ ନେଇ ଅଭିଯୋଗ କରିଥିଲେ।