ନୂଆଦିଲ୍ଲୀ: ଭାରତ ଶୁକ୍ରବାର ନିଜର ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ପୂରା ଦେଶରେ ଉତ୍ସବର ମାହୋଲ ରହିଛି । ରାଜଧାନୀ ଦିଲ୍ଲୀ ସମେତ ସହରଠୁ ନେଇ ପୂରପଲ୍ଲୀରେ ସ୍ୱାଧୀନତା ଦିବସ ସମାରୋହ ପାଇଁ ପ୍ରସ୍ତୁତି ପୂରା ହୋଇ ସାରିଛି । ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଆଜି ଲଗାତାର ୧୨ତମ ଥର ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।
ପିଏମ ମୋଦୀଙ୍କ ଅଗଷ୍ଟ ୧୫ର ଭାଷଣ ଉପରେ ପୂରା ଦେଶର ନଜର ରହିଛି । ଏଠାରେ ପ୍ରଧାନମନ୍ତ୍ରୀ ଦେଶ ହିତ ପ୍ରସଙ୍ଗରେ ଜନତାଙ୍କୁ ସମ୍ବୋଧିତ କରି ସେମାନଙ୍କ ଉତ୍ସାହ ବଢାଇଥାନ୍ତି । ଏଥର ପିଏମ ମୋଦୀ ନିଜର ତୃତୀୟ କାର୍ଯ୍ୟକାଳରେ ପ୍ରମୁଖ ଉପଲବ୍ଧି ରେଖାଙ୍କିତ କରି ପାରନ୍ତି । ଏହି ସମୟରେ ସେ ଅପରେସନ ସିନ୍ଦୂର ଏବଂ ସେନାର ପରାକ୍ରମ ଉପରେ ଉଲ୍ଲେଖ କରି ପାରନ୍ତି । ଗତ ବର୍ଷ ଅଗଷ୍ଟ ୧୫ରେ ନିଜର ୯୮ ମିନିଟର ସମ୍ବୋଧନରେ ପିଏମ ମୋଦୀ ଧର୍ମନିରପେକ୍ଷ ନାଗରିକ ସଂହିତା ଓ ଏକ ରାଷ୍ଟ୍ର ଏକ ନିର୍ବାଚନ ପରି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।
ସ୍ୱାଧୀନତା ଦିବସ ପାଇଁ ପୂରା ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୂରା ସହର ସିସିଟିଭି କ୍ୟାମେରା ନିରୀକ୍ଷଣରେ ରହିଛି । ଲାଲକିଲ୍ଲା ଆଖପାଖରେ ୧୧ ହଜାର ସୁରକ୍ଷାକର୍ମୀ ଓ ତିନି ହଜାର ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି । ଉଚ୍ଚ ଅଟ୍ଟାଳିକାରେ ସ୍ନାଇପରକୁ ମୁତୟନ କରାଯାଇଛି । ଦିଲ୍ଲୀ ପୋଲିସ, ସେନା ଓ ଅର୍ଦ୍ଧସାମରିକ ବଳର ଯବାନଙ୍କୁ ମୁତୟନ କରାଯାଇଛି ଏବଂ ଅନେକ ସ୍ତରରେ ସୁରକ୍ଷାର ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।