ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୧୨ ତାରିଖରେ ଚଳିତବର୍ଷର ଶେଷ ଓ ସବୁଠାରୁ ଲମ୍ବା ସମୟ ସୂର୍ଯ୍ୟପରାଗ ଘଟିବ । ବିଶ୍ୱ ଦେଖିବ ଦୁର୍ଲଭ ମହାଜାଗତିକ ଦୃଶ୍ୟ । ଏହି ଘଟଣା ବୈଜ୍ଞାନିକ ଏବଂ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଅଛି । ଭାରତୀୟ ସମୟ ଅନୁଯାୟୀ ଏହି ଗ୍ରହଣ ଅଗଷ୍ଟ ୧୨ ତାରିଖ ରାତି ୯:୦୪ରେ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ସକାଳ ୪:୨୫ ପର୍ଯ୍ୟନ୍ତ ରହିବ । ପରାଗ ରାତିରେ ହେଉଥିବାରୁ ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେଣୁ ଭାରତରେ କୌଣସି ସୂତକ ସମୟ ବୈଧ ହେବ ନାହିଁ । ଏହାର ଅର୍ଥ ହେଉଛି ଏହି ପରାଗ ପାଇଁ ଦେଶରେ ସାଧାରଣ ପୂଜା, ମନ୍ଦିର ଖୋଲିବା ଏବଂ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟ ପ୍ରଭାବିତ ହେବ ନାହିଁ । ଦେଶର କୌଣସି ସ୍ଥାନରୁ ଏହାକୁ ସିଧାସଳଖ ଦେଖିବା ସମ୍ଭବ ହେବ ନାହିଁ ।
ଜ୍ୟୋତିର୍ବିଜ୍ଞାନୀଙ୍କ ସୂଚନା ଅନୁଯାୟୀ, ପରାଗ ଆଇସଲ୍ୟାଣ୍ଡ, ନର୍ଥ ଆମେରିକା ରେ ଏହା ପୂର୍ଣ୍ଣ ଦୃଶ୍ୟମାନ ହେବ । ଆଫ୍ରିକା, ପ୍ରଶାନ୍ତ ମହାସାଗରର କିଛି ଭାଗରେ ମଧ୍ଯ ଆଂଶିକ ଦେଖା ଯିବ। ସ୍ପେନ୍ ର ଅନେକ ସହର ଦିନରେ କିଛି ମିନିଟ୍ ପାଇଁ ଅନ୍ଧାରରେ ବୁଡ଼ି ରହିବ । ସେହି ସବୁ ସ୍ଥାନରେ ଥିବା ଲୋକମାନେ ଏହି ଦୁର୍ଲଭ ଦୃଶ୍ୟକୁ ଉପଭୋଗ କରିପାରିବେ।
ସୂର୍ଯ୍ୟ ପରାଗ ଅମାବାସ୍ଯା ତିଥିରେ ହୋଇଥାଏ । ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକର କିଛି ଅଂଶ ଚନ୍ଦ୍ରଙ୍କଦ୍ୱାରା ଆଛାଦିତ ହୋଇ ପୃଥିବୀ ପୃଷ୍ଠରେ ଛାୟା ସୃଷ୍ଟି କରେ ସେହି ସମୟରେ ସୂର୍ଯ୍ୟ ଅଂଶିକ ବା ସଂପୂର୍ଣ୍ଣ ଭାବେ ଚନ୍ଦ୍ରଦ୍ୱାରା କିଛି ସମୟ ପାଇଁ ଆଛାଦିତ ବା ଘୋଡାଇ ହୋଇଯାଆନ୍ତି। ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ବେଳେ ଆକାଶ ଅନ୍ଧାର ହୋଇଯାଏ ଓ ତାପମାତ୍ରାରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଅନୁଭବ କରାଯାଏ ।
ତେବେ ଶ୍ରାବଣ ମାସର କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଏହି ପରାଗ ପଡୁଥିବାରୁ ଏହାକୁ ଧାର୍ମିକ ଏବଂ ଜ୍ୟୋର୍ତିବିଜ୍ଞାନୀ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି ।