ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET-UG ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇର ଚାର୍ଜସିଟ୍ରୁ ଏପରି କିଛି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି। ପ୍ରଶ୍ନପତ୍ର କୌଣସି ପ୍ରେସ୍ରୁ ନୁହେଁ, ବରଂ ସିଧାସଳଖ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଭିତରୁ ହିଁ ଚୋରି ହୋଇଥିଲା। NTA ପାଇଁ କାମ କରୁଥିବା ତିନିଜଣ କଣ୍ଟ୍ରାକ୍ଟ ବିଶେଷଜ୍ଞ ନିଜର କ୍ଷମତାର ଅପବ୍ୟବହାର କରି ଏହି ଷଡ଼ଯନ୍ତ୍ର ରଚିଥିଲେ।
ପ୍ରଶ୍ନପତ୍ର ଲିକ୍ କରିବାର ଥିଲା ଅଦ୍ଭୁତ ତରିକା
ତଦନ୍ତରୁ ଜଣାପଡିଛି ଯେ ଅପ୍ରେଲ ମାସରେ ପ୍ରଶ୍ନପତ୍ର ଅନୁବାଦ, ବ୍ୟାକ-ଟ୍ରାନ୍ସଲେସନ ଏବଂ ପ୍ରୁଫ୍ରିଡ଼ିଂ କାମ ଚାଲିଥିବା ସମୟରେ ଏହି ବିଶେଷଜ୍ଞମାନେ ସେଠାରେ ଉପସ୍ଥିତ ଥିଲେ। ସେମାନେ କୌଣସି କାଗଜପତ୍ର ବା କପି ଚୋରି କରି ନଥିଲେ, ବରଂ ଏକ ଚାଲାକ୍ ଉପାୟ ଆପଣାଇଥିଲେ। ଏହି ବିଶେଷଜ୍ଞମାନେ ପଦାର୍ଥ ବିଜ୍ଞାନ (Physics), ରସାୟନ ବିଜ୍ଞାନଏବଂ ଜୀବବିଜ୍ଞାନ ପ୍ରଶ୍ନ, ସେଗୁଡ଼ିକର ବିକଳ୍ପ ଏବଂ ସଠିକ୍ ଉତ୍ତରଗୁଡ଼ିକୁ ଘୋଷି ଦେଇଥିଲେ ।
NTA ଅଫିସରୁ ବାହାରିବା ପରେ ସେମାନେ ନିଜ ହୋଟେଲ ରୁମ୍ କିମ୍ବା ବ୍ୟକ୍ତିଗତ ବାସଭବନକୁ ଯାଇ ସେହି ମନେରଖିଥିବା ପ୍ରଶ୍ନଗୁଡ଼ିକୁ କାଗଜରେ ଲେଖି୍ ଛୋଟ ଛୋଟ ଚିଟ୍ ପ୍ରସ୍ତୁତ କରୁଥିଲେ।
କିଏ ଥିଲେ ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ?
ସିବିଆଇର ତଥ୍ୟ ଅନୁଯାୟୀ, ପୁଣେ ଏବଂ ଲାତୁରର କିଛି କୋଚିଂ ସେଣ୍ଟର ଏବଂ ଦଲାଲମାନଙ୍କ ସହ ମିଶି ଏହି ନେଟୱାର୍କ ଚାଲୁଥିଲା। NTA ପ୍ୟାନେଲରେ ଥିବା ଏହି ତିନିଜଣ ବିଶେଷଜ୍ଞ ରସାୟନ ବିଜ୍ଞାନ ପାଇଁ ପି.ଭି. କୁଲକର୍ଣ୍ଣି, ଜୀବବିଜ୍ଞାନ ପାଇଁ ମନୀଷା ଗୁରୁନାଥ ମନ୍ଧାରେ ଏବଂ ପଦାର୍ଥ ବିଜ୍ଞାନ ପାଇଁ ମନୀଷା ସଞ୍ଜୟ ହାଭାଲଦାର—ଏହି ସଂପୂର୍ଣ୍ଣ କାଣ୍ଡର ମୁଖ୍ୟ ଥିଲେ।
'FIFA World Cup 2026' ଓ୍ଵାଟ୍ସଆପ୍ ଗ୍ରୁପ୍
ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ଏବଂ ପ୍ରଶ୍ନ ଦେବା ପାଇଁ ଅତ୍ୟନ୍ତ ଚାଲାକିପୂର୍ଣ୍ଣ ଭାବେ ଏକ ଓ୍ଵାଟ୍ସଆପ୍ ଗ୍ରୁପ୍ ତିଆରି କରିଥିଲେ, ଯାହାର ନାମ ରଖାଯାଇଥିଲା 'FIFA World Cup 2026'। ଅଭିଯୁକ୍ତମାନଙ୍କର ଆବାସିକ ସୋସାଇଟିର ଏଣ୍ଟ୍ରି-ଏକ୍ଜିଟ୍ ଆପ୍ ରେକର୍ଡ ଏବଂ ଫୋନ୍ କଲ୍ ଡେଟା (CDR) ଜରିଆରେ ସିବିଆଇ ଅପ୍ରେଲ ମାସରେ ଛାତ୍ରଛାତ୍ରୀମାନଙ୍କର ସେମାନଙ୍କ ପାଖକୁ ଯିବା ଆସିବାର ପକ୍କା ପ୍ରମାଣ ହାତେଇଛି।
ଟଙ୍କା କାରବାର ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନଏହି ଲିକ୍ ହୋଇଥିବା ପ୍ରଶ୍ନଗୁଡ଼ିକୁ ବିଭିନ୍ନ ରାଜ୍ୟର ପରୀକ୍ଷାର୍ଥୀଙ୍କ ନିକଟକୁ ପହଞ୍ଚାଇବା ପାଇଁ ମଝିରେ କିଛି ଦଲାଲ ଏବଂ କୋଚିଂ ସେଣ୍ଟର ମାଲିକ ମଧ୍ୟ ସାମିଲ ଥିଲେ। ତଦନ୍ତକାରୀ ସଂସ୍ଥା ଛାତ୍ରଛାତ୍ରୀଙ୍କ ପରିବାର ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଥିବା ଡିଜିଟାଲ୍ ପେମେଣ୍ଟର ମନି ଟ୍ରେଲ୍ (ଟଙ୍କା ଲେଣଦେଣର ପ୍ରମାଣ) ମଧ୍ୟ ଜବତ କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ଏବଂ ଏଜେନ୍ସିଗୁଡ଼ିକର କାର୍ଯ୍ୟଶୈଳୀକୁ ନେଇ ବଡ଼ଧରଣର ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି।