ଆଜିଠାରୁ ନୂଆ ସଂସଦ ଭବନରେ ଆରମ୍ଭ ହେବ ପାର୍ଲାମେଣ୍ଟର ସ୍ଵତନ୍ତ୍ର ଅଧିବେଶନ। ଏହି ଅଧିବେଶନରେ ଆଗତ ହୋଇପାରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ବିଲ୍ ଉପରେ କ୍ୟାବିନେଟ୍ ମୋହର ବାଜିଛି । ସ୍ଵତନ୍ତ୍ର ଅଧିବେଶନ ଐତିହାସିକ ହେବ ବୋଲି ଗତକାଲି ସ୍ଵତନ୍ତ୍ର ଅଧିବେଶନର ପ୍ରଥମ ଦିନରେ କହିଥିଲେ ପ୍ରଧାନମନ୍ତ୍ରୀ। ତେଣୁ ମହିଳା ସଂରକ୍ଷଣ ବିଲ ପାସ କରି ସ୍ଵତନ୍ତ୍ର ଅଧିବେଶନକୁ ଐତିହାସିକ କରିବେ କେନ୍ଦ୍ର ସରକାର।
ସୂଚନା ମୁତାବକ , ଆଜି ସଂସଦୀୟ ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ। ନୂଆ ସଂସଦ ଭବନରେ ଆରମ୍ଭ ହେବ ପାର୍ଲାମେଣ୍ଟର ସ୍ଵତନ୍ତ୍ର ଅଧିବେଶନ। ପ୍ରାୟ ୨୭ ବର୍ଷ ହେବ ପଡ଼ି ରହିଥିବା ମହିଳା ସଂରକ୍ଷଣ ବିଲକୁ ନେଇ ଚର୍ଚ୍ଚା ଜୋର। ସଂସଦର ସ୍ଵତନ୍ତ୍ର ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ ଏହି ବିଲ୍ ଆଣିବା ପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ସାଂସଦ ଦାବି କରିଥିଲେ। ସଂସଦରେ ଆଗତ ହେବା ପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହା ଉପରେ ବିତର୍କ ହେବ । ବିଲ୍ ଗୃହୀତ ହେଲେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ। ଏମିତି ହେଲେ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ୧୮୨କୁ ବୃଦ୍ଧି ପାଇବ। ମହିଳା ସଂରକ୍ଷଣ ନେଇ ବିଜେଡି ବହୁ ଆଗରୁ ଦାବି କରି ଆସୁଛି। ୨୦୧୮ରେ ବିଧାନସଭାରେ ସର୍ବସମ୍ମତିରେ ମହିଳା ସଂରକ୍ଷଣ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଗତକାଲି ରାଜ୍ୟସଭାରେ ମଧ୍ୟ ଦଳ ଏ ପ୍ରସଙ୍ଗ ଉଠାଇଥିଲା।
ଅଧିକ ପଢନ୍ତୁ ; ଆଜିଠୁ ଆରମ୍ଭ ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ