ନୂଆଦିଲ୍ଲୀ, ଜାନୁଆରୀ ୨୪ (ଖବର ଓଡ଼ିଶା):
ସଂସଦ ଛକରେ ଆକାଶବାଣୀ ଭବନର ପ୍ରଥମ ମହଲାରେ ରବିବାର ସକାଳେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଏହି ଖବର ପ୍ରକାଶ ପାଇବା ମାତ୍ରେ ଆଠଟି ଅଗ୍ନିଶମ ବାହିନୀ ଗାଡି ସ୍ଥାନୀୟ ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଘଟଣାରେ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ପୋଲିସ ଅନୁସନ୍ଧାନ ଜାରି ରଖିଛି ।
ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ ସକାଳ ପ୍ରାୟ ୫ଟା ୫୭ ମିନିଟରେ ଏହି ଅଗ୍ନିକାଣ୍ଡ ଘଟିଥଲା। ସୂଚନା ପାଇବା ମାତ୍ରେ ଘଟଣାସ୍ଥଳକୁ ଦମକଳବାହିନୀକୁ ପଠାଯାଇଥିଲା । ଖୁବ୍ ଶୀଘ୍ର ନିଆଁକୁ ନିୟନ୍ତ୍ରଣ କରାଯାଇଛି।
ଦମକଳବାହିନୀ ନିର୍ଦ୍ଦେଶକ କହିଛନ୍ତି ଯେ ରୁମ ନମ୍ବର ୧୦୧ରୁ ନିଆଁ ଲାଗିଛି। ଅଗ୍ନିକାଣ୍ଡର କାରଣ ସର୍ଟସର୍କିଟ ବୋଲି ଆଶଙ୍କା କରାଯାଉଛି । ଦୁଇ ଦିନ ପୂର୍ବେ ଇଞ୍ଜିନିୟର୍ସ ବିଲଡିଂରେ ମଧ୍ୟ ନିଆଁ ଲାଗିଯାଇଥିଲା। ଏହି ସମୟ ମଧ୍ୟରେ କିଛି କର୍ମଚାରୀ ବିଲ୍ଡିଂର ଛାତ ଉପରେ ଫସି ରହିଥିଲେ, ଯାହାକୁ ଅଗ୍ନିଶମ କର୍ମଚାରୀମାନେ ସୁରକ୍ଷିତ ଭାବେ ବାହାରକୁ ନେଇଥିଲେ ।