ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ହରିୟାଣା ଓ ପଞ୍ଜାବକୁ ସଂଯୋଗ କରୁଥିବା ଖନୌରୀ ବର୍ଡରରେ ଆନ୍ଦୋଳନରତ କୃଷକଙ୍କୁ ଉପଦେଶ ଦେଇଛନ୍ତି । ଅଦାଲତ ସୋମବାର ଶୁଣାଣି ସମୟରେ କୃଷକ ନେତା ଜଗଜିତ ସିଂ ଡଲ୍ଲେୱାଲଙ୍କୁ କହିଛନ୍ତି ଯେ, ଆପଣ ପ୍ରଦର୍ଶନକାରୀ କୃଷକଙ୍କୁ ବୁଝାନ୍ତୁ ଯେ, ସେମାନେ ରାଜମାର୍ଗକୁ ଅବରୋଧ କରନ୍ତୁ ନାହିଁ, ଲୋକଙ୍କ ସୁବିଧାକୁ ଧ୍ୟାନରେ ରଖନ୍ତୁ ।
ଡଲ୍ଲେୱାଲଙ୍କୁ ପୋଲିସ ଖନୌରୀ ବର୍ଡରରୁ ଉଠାଇ ନେଇଥିଲ।। ମାତ୍ର ଏବେ କୋର୍ଟରେ ଶୁଣାଣି ସମୟରେ କୁହାଯାଇଛି ଯେ, ପୋଲିସ ତାଙ୍କୁ ଅଟକ ରଖିବା ପରେ ଛାଡି ଦେଇଛି । ଏହା ପରେ ସେ ପୁଣି ଥରେ ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ତାଙ୍କ ସହିତ ଅନେକ କୃଷକ ଏମଏସପି ଉପରେ ଗ୍ୟାରେଣ୍ଟିକୁ ନେଇ ଆଇନ କରିବା ଓ ଅନେକ ଦାବିରେ ଆମରଣ ଅନଶନରେ ବସିଛନ୍ତି ।
ଡଲ୍ଲେୱାଲଙ୍କ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆପଣ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରି ପାରିବେ । କିନ୍ତୁ ସାଧାରଣ ଲୋକଙ୍କୁ କୌଣସି ଅସୁବିଧା ନ ହେବା ଦରକାର । ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଉଜ୍ଜ୍ୱଳ ଭୂୟାଁଙ୍କ ପୀଠ କହିଛନ୍ତି ଡଲ୍ଲେୱାଲଙ୍କୁ ପୋଲିସ ଆନ୍ଦୋଳନସ୍ଥଳରୁ ଉଠାଇ ନେବା ପରେ ଛାଡି ଦେଇଛି । ଏବେ ସେ ଆନ୍ଦୋଳନସ୍ଥଳରେ ନିଜ ସାଥୀମାନଙ୍କୁ ଆମରଣ ଅନଶନ ସମାପ୍ତ କରିବା ପାଇଁ ବୁଝାଉଛନ୍ତି । ଖଣ୍ଡପୀଠ ଡଲ୍ଲେୱାଲଙ୍କ ପକ୍ଷରୁ ହାଜର ଓକିଲ ଗୁନିନ୍ଦର କୌର ଗିଲଙ୍କୁ କହିଛନ୍ତି ଯେ, ଆନ୍ଦୋଳ ସମୟରେ ଏହା ଧ୍ୟାନରେ ରଖନ୍ତୁ ଯେ, ଯେମିତି ସାଧାରଣ ଜନତାଙ୍କୁ ଅସୁବିଧା ନ ହୁଏ ।
ସୁପ୍ରିମକୋର୍ଟ କହିଛନ୍ତି, ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆପଣଙ୍କୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବାର ପୂରା ଅଧିକାର ରହିଛି । ମାତ୍ର ଏହା ଧ୍ୟାନ ଦେବା ଦରକାର ଯେ, ସାଧାରଣ ଜନତାଙ୍କ ଯେମିତି ଅସୁବିଧା ନହୁଏ । ଆପଣମାନେ ସମସ୍ତେ ଜାଣିଛନ୍ତି ଯେ, ଖନୌରୀ ବର୍ଡର ପଞ୍ଜାବ ପାଇଁ ଜୀବନରେଖା ପରି । ଆମେ ଏହା କହୁନୁ ଯେ, ପ୍ରଦର୍ଶନ ଭୁଲ୍ କି ଠିକ୍ ମାତ୍ର ଜନତା ଯେମିତି ହଇରାଣ ନ ହେବା ଦରକାର । ଡଲ୍ଲେୱାଲ ଆନ୍ଦୋଳନକାରୀଙ୍କୁ ବୁଝାନ୍ତୁ ଯେ, ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଢଙ୍ଗରେ ହେଉ ।