ନୂଆଦିଲ୍ଲୀ: ଦେଶରେ ବୁଲା କୁକୁରଙ୍କ ଆତଙ୍କ ଓ ସେମାନଙ୍କ କାମୁଡ଼ା ଯୋଗୁଁ ସାଧାରଣ ଲୋକେ ଅତିଷ୍ଠ ହୋଇପଡ଼ିଥିବା ବେଳେ ଏହି ଗମ୍ଭୀର ପ୍ରସଙ୍ଗରେ ଏକ ବଡ଼ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଦେଶରେ ବଢୁଥିବା କୁକୁର କାମୁଡ଼ା ମାମଲାକୁ ନେଇ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମଙ୍ଗଳବାର ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯେଉଁ ବୁଲା କୁକୁରମାନେ ଗମ୍ଭୀର ଭାବେ ରୋଗାଗ୍ରସ୍ତ ଏବଂ ଅତ୍ୟନ୍ତ ହିଂସ୍ର ବା ବିପଜ୍ଜନକ, ସେମାନଙ୍କୁ ମାରିଦେବା ଉପରେ ରାଜ୍ୟଗୁଡ଼ିକ ବିଚାର କରିବା ଆବଶ୍ୟକ।
ଏହା ସହିତ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ସଠିକ୍ ଭାବେ ପାଳନ କରିନଥିବାରୁ ବିଭିନ୍ନ ରାଜ୍ୟ ସରକାରଙ୍କ ଉପରେ ସୁପ୍ରିମକୋର୍ଟ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ଅଦାଲତଙ୍କ ଅବମାନନା ବୋଲି ଧରାଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି। ଜନସାଧାରଣଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରି କୋର୍ଟ କହିଛନ୍ତି ଛୋଟ ପିଲା ଏବଂ ବୃଦ୍ଧମାନେ ପ୍ରତିଦିନ କୁକୁର କାମୁଡ଼ାର ଶିକାର ହେଉଛନ୍ତି। ଏଭଳି ସ୍ଥିତିରେ ଆମେ ଆଖି ବନ୍ଦ କରି ବସିପାରିବୁ ନାହିଁ। ଏହା ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ପରିବେଶ ସନ୍ତୁଳନ ସହ ଜଡ଼ିତ ଏକ ଗୁରୁତର ବିଷୟ।
କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ରାଜ୍ୟଗୁଡ଼ିକ ପ୍ରାଣୀ ଜନ୍ମ ନିୟନ୍ତ୍ରଣ ନିୟମକୁ ଠିକ୍ ଭାବେ କାର୍ଯ୍ୟକାରୀ କରିଥାନ୍ତେ, ତେବେ ଆଜି ଏଭଳି ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ଗତ ୨୦୨୫ ନଭେମ୍ବର ୭ ତାରିଖରେ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟଗୁଡ଼ିକ ବେଖାତିର କରିଥିବାରୁ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି।
ସୁପ୍ରିମକୋର୍ଟଙ୍କ ୮ଟି ପ୍ରମୁଖ ନିର୍ଦ୍ଦେଶ
- ଏହି ମାମଲାରେ କୋର୍ଟ ନିଜର ପୂର୍ବ ଆଦେଶକୁ କାଏମ ରଖିବା ସହ ସରକାରୀ ପ୍ରଶାସନ ପାଇଁ କିଛି ଜରୁରୀ ଗାଇଡଲାଇନ ଜାରି କରିଛନ୍ତି:
- ABC ଫ୍ରେମୱର୍କର କଡ଼ା ପାଳନ: ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ 'ଆନିମଲ ବାର୍ଥ କଣ୍ଟ୍ରୋଲ' (ABC) ନିୟମାବଳୀ କଡ଼ାକଡ଼ି ଭାବେ ଲାଗୁ କରିବାକୁ ହେବ।
- ସ୍ୱତନ୍ତ୍ର ସେଣ୍ଟର ପ୍ରତିଷ୍ଠା: ପ୍ରତି ସହରରେ କୁକୁରମାନଙ୍କ ବନ୍ଧ୍ୟାକରଣ ଏବଂ ଚିକିତ୍ସା ପାଇଁ ସ୍ୱତନ୍ତ୍ର କେନ୍ଦ୍ର ଖୋଲାଯିବ।
- କର୍ମଚାରୀଙ୍କୁ ଟ୍ରେନିଂ: ଏହି କାମରେ ନିୟୋଜିତ କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯିବ।
- ଭ୍ୟାକ୍ସିନର ଉପଲବ୍ଧତା: ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି-ରେବିଜ୍ (ଜଳାତଙ୍କ ନିରୋଧୀ) ଭ୍ୟାକ୍ସିନ ଉପଲବ୍ଧ ରଖିବାକୁ ହେବ।
- ହାଇୱେରୁ ବୁଲା ଗୋରୁ ହଟାଇବା: ଜାତୀୟ ରାଜପଥ କର୍ତ୍ତୃପକ୍ଷ (NHAI) ହାଇୱେ ଉପରୁ ବୁଲା ମଗୁଷି/ଗୋରୁଗାଈଙ୍କୁ ହଟାଇବା ପାଇଁ ତୁରନ୍ତ ପଦକ୍ଷେପ ନେବେ।
- ଗୋଶାଳା ନିର୍ମାଣ: ରାସ୍ତାରୁ ଉଦ୍ଧାର କରାଯାଉଥିବା ବୁଲା ଗୋରୁଙ୍କୁ ରଖିବା ପାଇଁ ସ୍ୱତନ୍ତ୍ର ଗୋଶାଳା ତିଆରି କରାଯିବ।
- ହିଂସ୍ର କୁକୁରଙ୍କୁ ମାରିବା ପ୍ରସଙ୍ଗ: ଅତ୍ୟନ୍ତ ମାରାତ୍ମକ ରୋଗରେ ପୀଡ଼ିତ ଏବଂ ଆକ୍ରମଣାତ୍ମକ କୁକୁରମାନଙ୍କୁ ମାରିଦେବା ଉପରେ ପ୍ରଶାସନ ବିଚାର କରିପାରିବେ।
- ଅଧିକାରୀଙ୍କୁ ସୁରକ୍ଷା: କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଥିବା ଅଧିକାରୀଙ୍କ କାମରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ। କୌଣସି ଅପରିହାର୍ଯ୍ୟ ପରିସ୍ଥିତି ନଥିଲେ କୋର୍ଟ ସେମାନଙ୍କ ବିରୋଧରେ ଶୁଣାଣି କରିବେ ନାହିଁ।