ଚେନ୍ନାଇ: ତାମିଲନାଡୁ ରାଜନୀତିରେ ବଡ ହଲଚଲ ହେବାର ସମ୍ଭାବନା ରହିଛି । ଯେ କୌଣସି ସମୟରେ ଯୋଶେଫ ବିଜୟଙ୍କ ସରକାର ଭାଙ୍ଗିପାରେ । ଏମିତି ଦୃଢୋକ୍ତି ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଏହା ସହିତ ସେ ପାର୍ଟି ପଦାଧିକାରୀଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ସଂପ୍ରତି ଏହାକୁ ନେଇ ଟିଭିକେ ନେତୃତ୍ୱାଧୀନ ମେଣ୍ଟ ସରକାର ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । ଏହା ପୂର୍ବରୁ ଡିଏମକେ ବିଧାୟକ ମଧ୍ୟ ଦାବି କରି ସାରିଛନ୍ତି ଯେ, ବର୍ତ୍ତମାନର ରାଜ୍ୟ ସରକାର ୬ ମାସରେ ଭାଙ୍ଗିପାରେ ।
ଏନଡିଟିଭି ଅନୁସାରେ ଷ୍ଟାଲିନ ନିଜ ପାର୍ଟିର ଜିଲ୍ଲା ସଂପାଦକମାନଙ୍କୁ କହିଛନ୍ତି ଯେ, ବର୍ତ୍ତମାନ ସରକାର କୌଣସି ମୁହୂର୍ତ୍ତରେ ବି ଭାଙ୍ଗିପାରେ । ତେଣୁ ପାର୍ଟିକୁ ଏବେଠୁ ନିର୍ବାଚନ ପାଇଁ ପ୍ରସ୍ତୁତି କରିବା ଦରକାର । ଏହାର ସମ୍ଭାବନା ମଧ୍ୟ ରହିଛି ଯେ, ୨୦୨୯ ଲୋକସଭା ନିର୍ବାଚନ ସହ ରାଜ୍ୟର ବିଧାନସଭା ନିର୍ବାଚନ ବି ହୋଇପାରେ । ଆମେ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବା ଏବେଂ ପୁନର୍ବାର ନିର୍ବାଚନ ଜିତିବା ବୋଲି ଷ୍ଟାଲିନ କହିଛନ୍ତି ।
କଣ ଆଶା ରଖିଛି ଡିଏମକେ
ଋିପୋର୍ଟ ଅନୁଯାୟୀ, ଡିଏମକେ ମତରେ ଯଦି ସରକାରକୁ ସମର୍ଥନ ଦେଉଥିବା ଭିସିକେ, ସିପିଆଇ, ସିପିଏମ ଓ ଆଇୟୁଏମଏଲ ସମର୍ଥନ ପ୍ରତ୍ୟାହାର କରନ୍ତି ତେବେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇପାରେ । ଏହା ସହିତ ତାମିଲନାଡୁ ବାଚସ୍ପତି କିମ୍ବା ଅଦାଲତ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରି ଦିଏ ତେବେ ଏମିତି ସ୍ଥିତି ବି ଉପୁଜିପାରେ ।
୩୬ ଜଣିଆ କମିଟି ଗଠିତ
ଖାସ୍ କଥା ତାମିଲନାଡୁ ବିଧାନସଭା ନିର୍ବାଚନରେ ପରାଜୟର ବିଶ୍ଳେଷଣ ପାଇଁ ଡିଏମକେ ୩୬ ଜଣିଆ କମିଟି ଗଠନ କରିଛି । ଷ୍ଟାଲିନ ଏହି କମିଟିକୁ ପରାଜୟର କାରଣ ଉପରେ ଏକ ନିରପେକ୍ଷ ଏବଂ ସ୍ପଷ୍ଟ ରିପୋର୍ଟ ଦେବାକୁ କହିଛନ୍ତି । ପଦାଧିକାରୀଙ୍କୁ ସମ୍ବୋଧିତ କରି ପରାଜୟ ଏକ ଅସ୍ଥାୟୀ ପ୍ରକ୍ରିୟା ଏବଂ ଆମକୁ ସର୍ବଦା ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ଦରକାର ବୋଲି ଡିଏମକେ ମୁଖ୍ୟ କହିଛନ୍ତି ।