ସୁନ୍ଦରଗଡ଼: ଝାଡ଼ଖଣ୍ଡ ଜରାଇକେଲା ଥାନା ଅନ୍ତର୍ଗତ ବାବୁଡେରା ସିଆରପିଏଫ୍ କ୍ୟାମ୍ପରେ ଏକ ଅଘଟଣ ଘଟିଯାଇଛି । ଗଛ ପଡ଼ି କୋବ୍ରା ୨୧୦ ବାଟାଲିଅନ୍ର ଜଣେ କନଷ୍ଟେବଲଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ରାକେଶ କୁମାର ।
ଗତକାଲି ରାତିରେ ଯବାନମାନେ ଶୋଇଥିବା ଅବସ୍ଥାରେ ହଠାତ୍ ଏକ ବିଶାଳ ଗଛ ଭାଙ୍ଗି ପଡ଼ିଥିଲା । ରାକେଶ କୁମାର ଶୋଇଥିବା ଅବସ୍ଥାରେ ତାଙ୍କ ଉପରେ ଗଛ ପଡ଼ିଯାଇଥିଲା । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ରାକେଶଙ୍କୁ ତୁରନ୍ତ ରାଞ୍ଚୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ରାକେଶଙ୍କ ମୃତ୍ୟୁ ଖବର ପରେ ସିଆରପିଏଫ୍ କ୍ୟାମ୍ପରେ ଶୋକର ଛାୟା ଖେଳି ଯାଇଛି । ଅପରପକ୍ଷେ କ୍ୟାମ୍ପର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।