ମୁମ୍ବାଇ: ମହାରାଷ୍ଟ୍ରରେ ମହାୟୁତି (ବିଜେପି, ଶିବସେନା (ଏକନାଥ ସିନ୍ଦେ) ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ସରକାର ଦେଶୀ ଗାଈକୁ ରାଷ୍ଟ୍ରୀୟ ପଶୁର ମାନ୍ୟତା ଦେଇଛନ୍ତି। ଗାଈର ସାଂସ୍କୃତିକ ଓ ପ୍ରାକୃତିକ ମହତ୍ତ୍ୱକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ଗତ କିଛି ଦିନ ହେବ ଏଥିପାଇଁ ଦାବି ହେଉଥିଲା।
ରାଜ୍ୟ କୃଷି, ଦୁଗ୍ଧ ବିକାଶ, ପଶୁପାଳନ ଓ ମତ୍ସ୍ୟ ବିଭାଗ ପକ୍ଷରୁ ସୋମବାର (ସେପ୍ଟେମ୍ବର ୩୦) ଜାରି ଏକ ବିବୃତିରେ କୁହାଯାଇଛି ଯେ ବୈଦିକ କାଳରୁ ଭାରତୀୟ ସଂସ୍କୃତିରେ ଦେଶୀ ଗାଈର ସ୍ଥିତିକୁ ଦୃଷ୍ଟିରେ ରଖି ମାନବ ଖାଦ୍ୟ, ଆୟୁର୍ବେଦ ଔଷଧ, ପଞ୍ଚଗବ୍ୟ ଚିକିତ୍ସା ପ୍ରଣାଳୀ ଏବଂ ଜୈବିକ କୃଷି ପ୍ରଣାଳୀରେ ଦେଶୀ ଗାଈକ୍ଷୀରର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଦେଶୀ ଗାଈମାନଙ୍କୁ 'ରାଜ୍ୟମାତା ଗୌମାତା' ଘୋଷଣା କୁ ଅନୁମୋଦନ କରାଯାଇଛି।
ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି, ଗାଈ ଆମ କୃଷକଙ୍କ ପାଇଁ ବରଦାନ। ତେଣୁ ଆମେ ତାଙ୍କୁ 'ରାଜ୍ୟ ମାତା'ର ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛୁ। ଆମେ ଗୋ-ଆଶ୍ରୟସ୍ଥଳୀରେ ଦେଶୀ ଗାଈର ରକ୍ଷଣାବେକ୍ଷଣ ପାଇଁ ସବସିଡି ଦେବାକୁ ନିଷ୍ପତ୍ତି ନେଇଛୁ।
ଭାରତୀୟ ସଂସ୍କୃତିରେ ଗାଈକୁ ମା'ର ମାନ୍ୟତା ଦିଆଯାଇଛି। ବିଶ୍ୱାସ କରାଯାଏ ଯେ ଗାଈର ଶରୀରରେ ସମସ୍ତ ଦେବଦେବୀ ବାସ କରନ୍ତି। ଗାଈକୁ କାମଧେନୁ ମଧ୍ୟ କୁହାଯାଏ, ଅର୍ଥାତ୍ ସେ ସମସ୍ତ ମନୋକାମନା ପୂରଣ କରିଥାଏ। ଏହି ନିଷ୍ପତି ଦ୍ୱାରା ଗୋହତ୍ୟା ଓ ଚୋରା ଚାଲାଣ କୁ ରୋକାଯାଇପାରିବ ବୋଲି ସରକାର ବିଶ୍ୱାସ କରୁଛନ୍ତି। ରାଜ୍ୟରେ ଗାଈର ସୁରକ୍ଷା ଓ ସମ୍ମାନ ମଧ୍ୟ ବୃଦ୍ଧି ପାଇବ।
ଅଧିକ ପଢ଼ନ୍ତୁ: ବୈଷ୍ଣୋଦେବୀରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା