ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କ ରାୟ ମଗାଯିବା ବିରୋଧରେ ଦାଖଲ ଯାଚିକା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଅଦାଲତ କେରଳ ଓ ତାମିଲନାଡୁ ସରକାରଙ୍କ ଆବେଦନ ଉପରେ କହିଛନ୍ତି, ଯଦି ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କ ରାୟ ନେବାକୁ ଚାହୁଁଛନ୍ତି ତେବେ ସେଥିରେ ଭୁଲ୍ କଣ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବିଧାନର ଧାରା ୧୪୩ ଆଧାରରେ ସୁପ୍ରିମକୋର୍ଟରେ ରେଫରେନ୍ସ ଦାୟର କରିଛନ୍ତି ।
ଋାଷ୍ଟ୍ରପତି ଏଥିରେ ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଦେଶ ଦିଆଯାଇ ପାରିବ କି । ଏହି ରେଫରେନ୍ସକୁ ତାମିଲନାଡୁ ଏବଂ କେରଳ ସରକାର ବିରୋଧ କରିଛନ୍ତି । ଦୁଇ ରାଜ୍ୟ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତିଙ୍କ ପକ୍ଷରୁ ଦାଖଲ ରେଫରେନ୍ସ ଶୁଣାଣିର ଯୋଗ୍ୟ ନୁହେଁ । ଏହା ଉପରେ ପ୍ରଧାନ ବିଚାରପତି ବିଆର ଗବାଇ, ବିଚାରପତି ସୂର୍ଯ୍ୟକାନ୍ତ ସମେତ ୫ ଜଣିଆ ଖଣ୍ଡପୀଠ କହିଛନ୍ତି, ଏଥିରେ ଭୁଲ କଣ । ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି ଯେ, ଯଦି ମହାମହିମ ରାଷ୍ଟ୍ରପତି ଅଦାଲତଙ୍କ ରାୟ ଜାଣିବାକୁ ଚାହୁଁଛନ୍ତି ତେବେ ଏଥିରେ ଭୁଲ୍ କଣ ।
ଅଦାଲତ ଏହା ମଧ୍ୟ କହିଛନ୍ତି ଆମେ ଏଠାରେ ପରାମର୍ଶ କିମ୍ବା ରାୟ ଦେବା ପାଇଁ ହିଁ ଅଛୁ । ସୁପ୍ରିମକୋର୍ଟଙ୍କ କୌଣସି ନିଷ୍ପତ୍ତି ବିରୋଧରେ ଆମେ ଅପିଲିୟ ପ୍ରାଧିକରଣ ଭାବେ ବସିନାହୁଁ । ପ୍ରଧାନ ବିଚାରପତି କହିଛନ୍ତି ଯଦି କୌଣସି କୋର୍ଟ କୌଣସି ରାୟ ଦେଇଛନ୍ତି ତେବେ ଆମେ ତାକୁ ସଂଶୋଧନ କରି ପାରିବୁ, ମାତ୍ର କୌଣସି ନିଷ୍ପତ୍ତିକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ ।
ଏହା ଉପରେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି, ଅଦାଲତ କୌଣସି ନିଷ୍ପତ୍ତିକୁ ବଦଳାଇ ପାରିବେ, ବିଶେଷ କରି ଯେଉଁଥିରେ ତ୍ରୁଟି ଥିବ । ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି, ଆମେ ରାୟ ବଦଳାଇ ପାରୁ ମାତ୍ର ନିଷ୍ପତ୍ତି ନୁହେଁ । ଉଲ୍ଲେଖନୀୟ ରାଷ୍ଟ୍ରପତି ଏପ୍ରିଲ ମାସରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ସୁପ୍ରିମକୋର୍ଟ କହିଥିଲେ ଯେ, ଏକ ନିର୍ଦ୍ଧାରିତ ସମୟ ସୀମା ଭିତରେ ରାଜ୍ୟପାଳ ଏବଂ ରାଷ୍ଟ୍ରପତି ରାଜ୍ୟ ସରକାରଙ୍କ ଦ୍ୱାରା ପାରିତ ବିଧେୟକକୁ ମଞ୍ଜୁୁରୀ ଦେବେ ।