ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇଦିନିଆ ରୁଷ ଯାତ୍ରା ସମୟରେ ନୂଆଦିଲ୍ଲୀ ଓ ମସ୍କୋ ମଧ୍ୟରେ ବ୍ୟବସାୟ, ଶକ୍ତି, ଜଳବାୟୁ ସ ଗବେଷଣା ସମେତ ୯ଟି ବୁଝାମଣା ଉପରେ ଦସ୍ତଖତ ହୋଇଛି। ଏହି ବୁଝାମଣା ସମୟରେ ଏକାଧିକ ବଡ଼ ପ୍ରକଳ୍ପ ନେଇ ମଧ୍ୟ ଚର୍ଚ୍ଚା ହୋଇଛି। ଏଥିରେ ନ୍ୟୁକ୍ଲିୟର ପାୱାର ମଧ୍ୟ ସାମିଲ ରହିଛି। ରୁଷର ସହଯୋଗରେ ଭାରତରେ ୬ଟି ନୂଆ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଆଲୋଚନା ହୋଇଛି। ରୁଷର ପରମାଣୁ ଶକ୍ତି ସଂସ୍ଥା ରୋସାଟମ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟକୁ ନିର୍ମାଣରେ ଭାରତର ସହଯୋଗ କରିବ। ସୂଚନାଯୋଗ୍ୟ, ରୁଷ ସଂସ୍ଥା ପୂର୍ବରୁ ମଧ୍ୟ କୁଦନକୁଲମ ପରମାଣୁ ଶକ୍ତି କାରଖାନା ପ୍ରତିଷ୍ଠା କରିବାରେ ଭାରତକୁ ସହଯୋଗ କରିଛି।
ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମସ୍କୋରେ ନିଜର ଦୁଇଦିନିଆ ଗସ୍ତ ସମୟରେ ରୁଷ ରାଷ୍ଟ୍ରପତି ଭ୍ଲଦିମୀର ପୁଟିନଙ୍କୁ ସରକାରୀ ନିବାସ କ୍ରେମଲିନରେ ଭେଟିଥିଲେ। ଉଭୟ ନେତା ଚା’ ପିଇବା ସମୟରେ ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ। ଏଥିରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ମଧ୍ୟ ପ୍ରସଙ୍ଗ ଥିଲା। ଦ୍ବିପାକ୍ଷିକ ଆଲୋଚନା ବେଳେ ରୁଷ ସରକାରଙ୍କ ଦ୍ବାରା ପରିଚାଳିତ ରୋସାର୍ଟମ ୬ଟି ନୂଆ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଭାରତକୁ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିଲା। ଏହା ବ୍ୟତୀତ ରୁଷ ପ୍ରତକ୍ଷ୍ୟ ନିବେଶ କୋଷ ଫାର୍ମା, ଜାହାଜ ନିର୍ମାଣ ଓ ଶିକ୍ଷା କ୍ଷେତ୍ରରେ ଭାରତ ସହିତ ବୁଝାମଣା ଉପରେ ହସ୍ତଖତ କରିଥିଲା।
ରୁଷର ଦ୍ବିତୀୟ ସର୍ବବୃହତ୍ତ ବ୍ୟାଙ୍କ ଉଭୟ ଦେଶ ମଧ୍ୟରେ ବ୍ୟବସାୟ ବଢ଼ାଇବା ପାଇଁ ପେମେଣ୍ଟ ଫ୍ଲୋକୁ ସହଜ କରିବା ଉଦ୍ୟମ ନେଇ ଭାରତ ସହିତ ଆଲୋଚନା କରିଛି। ରୋସାର୍ଟ ଏକ ବୟାନରେ କହିଛି, ଭାରତ ସହିତ ସହଯୋଗ ପାଇଁ ନୂଆକ୍ଷେତ୍ର ନେଇ ଚର୍ଚ୍ଚା କରାଯାଉଛି। ଭାରତରେ ୬ଟି ନୂଆ ପାୱାର ପ୍ରତିଷ୍ଠା ନେଇ ଆଲୋଚନା କରାଯାଇଛି। ଚଳିତ ମେ ମାସରେ ଭାରତକୁ ରୁଷିଆ ଟେକନିକ ସହାୟତା ପାଇଁ କହିଥିଲା।