ଚେନ୍ନାଇ: ‘ସାମସଙ୍ଗ’ର ଚେନ୍ନାଇ କାରଖାନାରେ ସେପ୍ଟେମ୍ବର ୯ତାରିଖରୁ ଆରମ୍ଭ ହୋଇଥିବା ଧର୍ମଘଟ ପୂରା ମାସ ପରେ ମଧ୍ୟ ଶେଷ ହୋଇନାହିଁ। ମଙ୍ଗଳବାର ପୁଲିସ ୯୦୦ରୁ ଅଧିକ ଆନ୍ଦୋଳନକାରୀ ଶ୍ରମିକଙ୍କୁ ଅଟକ ରଖିବା ପରେ ଏହା ନୂଆ ମୋଡ଼ ନେଇଛି। ଫଳରେ କଂପାନି ଓ କର୍ମଚାରୀଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଛି। ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ ଅଭିଯୋଗରେ ସମସ୍ତଙ୍କୁ ଅଟକ ରଖାଯାଇଥିଲା। ତେବେ ବିଳମ୍ବିତ ରାତି ସୁଦ୍ଧା ସେମାନଙ୍କ ମୁକ୍ତି ସମ୍ପର୍କରେ ସୂଚନା ମିଳିଥିଲା।
ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଏହି କାରଖାନାରେ ଧର୍ମଘଟ ଚତୁର୍ଥ ସପ୍ତାହରେ ପ୍ରବେଶ କରିଛି। ଗତ କିଛି ବର୍ଷ ମଧ୍ୟରେ ଏହା ଦେଶର ସବୁଠାରୁ ବଡ଼ ଧର୍ମଘଟ ବୋଲି ବିବେଚନା କରାଯାଉଛି। ଏହି କାରଖାନାରେ କମ୍ପାନୀ ଫ୍ରିଜ୍ , ଟିଭି ଏବଂ ୱାସିଂ ମେସିନ୍ ଭଳି ଉତ୍ପାଦ ଉତ୍ପାଦନ କରିଥାଏ । ପାର୍ବଣ ଋତୁ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଧର୍ମଘଟ କଂପାନିର ରାଜସ୍ୱକୁ ବଡ଼ ଝଟକା ଦେବ ବୋଲି ଅନୁମାନ କରାଯାଉଛି। ସବୁ ଚେଷ୍ଟା ସତ୍ତ୍ୱେ କୌଣସି ସମାଧାନର ବାଟ ବାହାରିପାରୁନାହିଁ। କର୍ମଚାରୀଙ୍କ ଦରମା ବୃଦ୍ଧି, କାର୍ଯ୍ୟ ସମୟରେ ଉନ୍ନତି ଆଣିବା ଏବଂ ସେମାନଙ୍କ ୟୁନିୟନ ସିଆଇଟିୟୁକୁ କମ୍ପାନି ସ୍ୱୀକୃତି ଦେବାକୁ ଦାବି କରିଛନ୍ତି।
ପୁଲିସ ମଙ୍ଗଳବାର କହିଛି ଯେ ସେମାନେ ସାମସଙ୍ଗର ୯୧୨ ଜଣ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ଏହି ଧର୍ମଘଟରେ ପ୍ରାୟ ୧୦ କର୍ମଚାରୀ ସାମିଲ ହୋଇଛନ୍ତି। ସାମସଙ୍ଗର ଏହି କାରଖାନାରେ ପାଖାପାଖି ୧୮୦୦ କର୍ମଚାରୀ କାମ କରନ୍ତି। ଏହା ପୂର୍ବରୁ ସେପ୍ଟେମ୍ବର ୧୬ତାରିଖରେ ପୁଲିସ ୧୦୪ ଜଣଙ୍କୁ ଅଟକ ରଖିଥିଲା। ଏହି ପ୍ରସଙ୍ଗରେ ସାମସଙ୍ଗ ବର୍ତ୍ତମାନ କିଛି କହିନାହିଁ। ତେବେ ସେ କହିଥିଲେ ଯେ ଆମେ ଏହି କ୍ଷେତ୍ରରେ ଅନ୍ୟ କମ୍ପାନୀର ଦରମାଠାରୁ ପ୍ରାୟ ଦୁଇଗୁଣ ଲୋକଙ୍କୁ ଦେଉଛୁ। ଏଥିସହିତ କର୍ମଚାରୀଙ୍କ ସମସ୍ତ ସମସ୍ୟା ଶୁଣିବା ଓ ସମାଧାନ କରିବାକୁ ଆମେ ପ୍ରସ୍ତୁତ ଅଛୁ।
ଅଧିକ ପଢ଼ନ୍ତୁ: ଅବସର ପରେ ନିଯୁକ୍ତି ନେଇ କୌଣସି ଆପତ୍ତି ଉଠାଇହେବ ନାହିଁ