ନୂଆଦିଲ୍ଲୀ/ଲଦ୍ଦାଖ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ ଜମ୍ମୁ କଶ୍ମୀରର କାର୍ଗିଲ ଗସ୍ତ ରକିବେ ଓ ନିଜର କର୍ତ୍ତବ୍ୟ କାଳରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାହ୍ଣ ପ୍ରାୟ ସାଢ଼େ ୯ଟାରେ କାର୍ଗିଲ ଯୁଦ୍ଧ ସ୍ମାରକୀ ଯିବେ। ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ଶିଙ୍କୁ ଲା ସୁଡ଼ଙ୍ଗ ପ୍ରକଳ୍ପର ଶୁଭାରମ୍ଭ କରିବେ।
ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ଜୁଲାଇ ୨୬ ଦିନଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆମେ ୨୫ତମ କାର୍ଗିଲ ବିଜୟ ଦିବସ ପାଳନ କରିବା। ଆମ ରାଷ୍ଟର ରକ୍ଷା କରୁଥିବା ଯବାନଙ୍କ ପାଇଁ ଏହା ହେଉଛି ଶ୍ରଦ୍ଧାଞ୍ଜଳିର ଦିବସ। ମୁଁ କାରଗିଲ ଯୁଦ୍ଧ ସ୍ମାରକ ସ୍ଥଳ ଯିବି ଓ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବି।
ଏଥି ସହିତ ମୋଦୀ କହିଛନ୍ତି ଶିଙ୍କୁ ଲା ସୁଡ଼ଙ୍ଗ ପ୍ରକଳ୍ପ ପାଇଁ କାମ ଆରମ୍ଭ ହୋଇଯିବ। ଏହି ପ୍ରକଳ୍ପ ଖରାପ ପାଣିପାଗ ସମୟରେ ଲେହ ଠାରୁ ସଂଯୋଗୀକରଣକୁ ସ୍ବାଭାବିକ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ। ତେଣୁ ଏହି ସୁଡଙ୍ଗ ଗୁରୁତ୍ବପୂର୍ଣ୍ଣ। ଏହି ସୁଡଙ୍ଗ ସୀମା ପର୍ଯ୍ୟସ୍ତ ଶୀଘ୍ର ପହଞ୍ଚାଇବାରେ ତୃତୀୟ ଓ ସବୁଠୁ ସୁରକ୍ଷିତ ବିକଳ୍ପ ହେବ। ବର୍ତ୍ତମାନ ସମୟରେ ଲଦ୍ଦାଖ ପାଇଁ ପ୍ରଥମ ବିକଳ୍ପ ଜୋଜିଲା ନିକଟ, ଯାହା ପାକିସ୍ତାନ ସୀମା କ୍ଷେତ୍ରକୁ ଲାଗି ରହିଛି। ଦ୍ବିତୀୟ ବିକଳ୍ପ ବାରାଳାଚା ନିକଟରେ, ଯାହା ଚୀନ ସମୀାକୁ ଲାଗି ରହିଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଶିଙ୍କୁ ଲା ଟନେଲ ପ୍ରକଳ୍ପ ପାଇଁ ପ୍ରଥମ ବ୍ଳାଷ୍ଟ କରିବେ। ୪.୧ କିମିର ଏହି ଯମଜ ଟନେଲ ସମୁଦ୍ର ଜଳପତ୍ତନ ଠାରୁ ୧୫,୮୦୦ ଫୁଟ ଉପରେ ନିର୍ମିତ ହେବ। ନିମୁ-ପାଦୁମ-ଦରଛା ରୋଡରେ ଏହା ଲେହକୁ ସଂଯୋଗ କରିବ। ଏହି ଟନେଲ ନିର୍ମାଣ ସରିଲା ପରେ ବିଶ୍ବର ସର୍ବୋଚ୍ଚ ଟନେଲ ହେବ। ଏହା ଦ୍ବାରା ଲଦ୍ଦାଖର ସାମାଜିକ ଓ ଆର୍ଥିକ ବିକାଶ ହେଇପାରିବ।
ସୂଚନାଯୋଗ୍ୟ, ଭାରତୀୟ ନିୟନ୍ତ୍ରଣ ରେଖା (ଏଲ୍ଓସି)ରେ କାର୍ଗିଲ ଯୁଦ୍ଧ ୧୯୯୯ ମସିହା ମେ ୩’ ମାସରୁ ଜୁଲାଇ ୨୬ ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା। ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଏହି ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲା। କାର୍ଗିଲ ବିଜୟ ଦିବସର ରଜତ ଜୟନ୍ତୀ ମହୋତ୍ସବ ପାଳନ କରିବାକୁ ସାରା ଦେଶ ପ୍ରସ୍ତୁତ ହେଉଥିବା ବେଳେ କାର୍ଗିଲ ଯୁଦ୍ଧରେ ଭାରତୀୟ ସଶସ୍ତ୍ର ବାହିନୀର ବୀରତ୍ୱପୂର୍ଣ୍ଣ ବିଜୟକୁ ଉତ୍ତର କମାଣ୍ଡ ସମ୍ମାନିତ କରୁଛି। ଗତ ବର୍ଷକ ମଧ୍ୟରେ ଜମ୍ମୁ-କଶ୍ମୀରର ଜନସାଧାରଣ, ସ୍କୁଲ ପିଲା, ନାଗରିକ ବିଶିଷ୍ଟ ବ୍ୟକ୍ତି ଏବଂ ପୂର୍ବତନ ସୈନିକମାନଙ୍କୁ ସାମିଲ କରି ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ସ୍ମରଣ ଏବଂ ଧନ୍ୟବାଦ ଦେବା ପାଇଁ ଏକାଧିକ କାର୍ଯ୍ୟକ୍ରମ କରାଯାଇଛି।