ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଝଟକା । ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରିଲିଫ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଇଡିଙ୍କୁ ନୋଟିସ ଜାରି କରିଛନ୍ତି ଏବଂ ଏପ୍ରିଲ ୨୪ ସୁଦ୍ଧା ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୨୯ ରେ ହେବ ।
ସୋମବାର ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ। କେଜ୍ରିୱାଲଙ୍କ ପକ୍ଷରୁ ମୋକଦ୍ଦମା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘବୀ ମାମଲାର ଶୀଘ୍ର ଶୁଣାଣି ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ। ହେଲେ ସୁପ୍ରିମକୋର୍ଟ ଏହା କରିବାକୁ ମନା କରିଦେଇଥିଲେ ।
ସୂଚନା ଯୋଗ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ତାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ଏପ୍ରିଲ ୯ ତାରିଖରେ ଏହି ଆବେଦନକୁ ଖାରଜ କରିବା ସହ କେଜ୍ରିୱାଲଙ୍କ ଗିରଫଦାରୀ ବୈଧ ବୋଲି ଦିଲ୍ଲୀ ହାଇକୋର୍ଟ ନିଜ ରାୟ ଶୁଣାଇଥିଲେ। ଏହାର ବିରୋଧରେ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। କିନ୍ତୁ ଆଜି ସେଠୁ ମଧ୍ୟ ନିରାଶ ହୋଇଛନ୍ତି ।