ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଓମ ବିର୍ଲାଙ୍କ ବିରୋଧରେ ୧୧୮ ସାଂସଦ ମେଳି କରିଛନ୍ତି । ମଙ୍ଗଳବାର କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ନେତୃତ୍ୱରେ ପ୍ରସ୍ତାବର ନୋଟିସ ଲୋକସଭାର ସଚିବାଳୟରେ ଦେଇଛନ୍ତି । ଏହି ପ୍ରସ୍ତାବକୁ ତୃଣମୂଳ କଂଗ୍ରେସ ସମର୍ଥନ ଦେଇ ନାହିଁ । ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ, କଂଗ୍ରେସର ମୁଖ୍ୟ ସଚେତକ କୋଡିକୁନିଲ ସୁରେଶ ଓ ସାଂସଦ ମହମ୍ମଦ ଜାଭେଦ ଏବଂ ଅନ୍ୟ ସାଂସଦ ଲୋକସଭାର ସଚିବାଳୟରେ ଏହି ନୋଟିସ୍ ଦେଇଛନ୍ତି । ନୋଟିସ ଜମା ପରେ ଲୋକସଭାର ବାଚସ୍ପତି ସଚିବାଳୟକୁ ଅନାସ୍ଥା ପ୍ରସ୍ତାବର ଯାଞ୍ଚ କରିବା ଏବଂ ପ୍ରକ୍ରିୟା ଶୀଘ୍ର ତ୍ୱରାନ୍ୱିତ କରିବାକୁ କହିଛନ୍ତି ।
ନୋଟିସରେ କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମକେ ଓ ଅନ୍ୟ ବିରୋଧୀ ଦଳର ୧୧୮ ସାଂସଦ ହସ୍ତାକ୍ଷତ କରିଛନ୍ତି । ସମ୍ବିଧାନର ଅନୁଚ୍ଛେଦ ୯୪(ସି) ଆଧାରରେ ଏହି ପ୍ରସ୍ତାବ ସମ୍ବନ୍ଧିତ ନୋଟିସ ଲୋକସଭା ସଚିବାଳୟକୁ ହସ୍ତାନ୍ତର କରାଯାଇଛି । ଗତ ଫେବୃଆରୀ ୨ରେ ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ପୂର୍ବତନ ସେନା ମୁଖ୍ୟ ଏମଏମ ନରୱଣେଙ୍କ ପ୍ରକାଶିତ ପୁସ୍ତକର ଲିଖିତ ତଥ୍ୟ ଲୋକସଭାରେ ଉଠାଇବା ପାଇଁ ଅନୁମତି ଦେଇ ନ ଥିଲେ ।
ଅନ୍ୟପଟେ ପ୍ରବଳ ହଟ୍ଟଗୋଳ ଏବଂ ଗୃହର ମର୍ଯ୍ୟାଦାହାନୀ ପାଇଁ ବାଚସ୍ପତି ବିରୋଧୀ ଦଳର ୮ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିଥିଲେ । ବିରୋଧୀ ଅଭିଯୋଗ କରିଛନ୍ତି ଯେ, ବାଚସ୍ପତି ଲୋକସଭାରେ ବିରୋଧୀଙ୍କୁ କହିବାକୁ ସୁଯୋଗ ଦେଉ ନାହାନ୍ତି । ଏସବୁ ପ୍ରତିବାଦରେ ବିରୋଧୀ ଦଳର ସାଂସଦମାନେ ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥାପ ପ୍ରସ୍ତାବ ଆଣିଛନ୍ତି ।
ବାଚସ୍ପତିଙ୍କୁ ହଟାଇବା ପାଇଁ କଣ ରହିଛି ପ୍ରକ୍ରିୟା
ଲୋକସଭାର ବାଚସ୍ପତିଙ୍କୁ ହଟାଇବା ପାଇଁ ସମ୍ବିଧାନର ଅନୁଚ୍ଛେଦ ୯୪ ଏବଂ ଲୋକସଭାରେ କାର୍ଯ୍ୟପ୍ରଣାଳୀର ନିୟମ ଅନୁଚ୍ଛେଦ ୨୦୦ର ପାଳନ କରାଯାଏ । ଏହି ପ୍ରସ୍ତାବକୁ ପାରିତ କରାଇବା ପାଇଁ ସ୍ପଷ୍ଟ ଶବ୍ଦରେ ବାଚସ୍ପତିଙ୍କ ଉପରେ ଲଗାଯାଇଥିବା ଅଭିଯୋଗର ଉଲ୍ଲେଖ କରାଯାଇ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଏ ।
ଲୋକସଭା ସଚିବାଳୟ ପ୍ରସ୍ତାବକୁ ଗୃହରେ କେବେ ଆଗତ କରାଯିବା ତାର ଦିନ ସ୍ଥିର କରିଥାନ୍ତି । ନୋଟିସ ମିଳିବାର ୧୪ ଦିନ ଭିତରେ ତାରିଖ ସ୍ଥିର କରାଯାଏ । ପ୍ରସ୍ତାବକୁ ଅତି କମରେ ୫୦ ସାଂସଦଙ୍କ ସମର୍ଥନ ମିଳିବା ଉଚିତ୍ । ଲୋକସଭାରେ ବହୁମତ ସହିତ ପ୍ରସ୍ତାବ ଗୃହୀତ ହେଲେ ହିଁ ବାଚସ୍ପତିଙ୍କୁ ହଟାଯାଇପାରେ ।
Also read: ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ସ୍ତ୍ରୀ ଟିନାଙ୍କୁ ଇଡିର ସମନ