ନୂଆଦିଲ୍ଲୀ: ବିନା ବୀମାରେ ରାସ୍ତାରେ ଗଡ଼ୁଥିବା ଗାଡ଼ିଗୁଡ଼ିକ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମ୍ କୋର୍ଟ। ବୈଧ 'ଥାର୍ଡ-ପାର୍ଟି ଇନ୍ସୁରାନ୍ସ' ନ ଥିବା ଯାନବାହାନଗୁଡ଼ିକୁ ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ୍ କିମ୍ବା ଡିଜେଲ୍ ନଦେବା ପାଇଁ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଦେଶରେ ବିପୁଳ ସଂଖ୍ୟକ ଗାଡ଼ି ବିନା ବୀମାରେ ଚାଲୁଥିବାରୁ ଦୁର୍ଘଟଣାଗ୍ରସ୍ତ ପୀଡ଼ିତମାନଙ୍କୁ ସମୟସୀମା ମଧ୍ୟରେ ଉଚିତ କ୍ଷତିପୂରଣ ମିଳିପାରୁନାହିଁ।
ଇନ୍ସୁରାନ୍ସ ଯାଞ୍ଚ ପରେ ହିଁ ମିଳିବ ତେଲ
ସୁପ୍ରିମ୍ କୋର୍ଟ ଗାଡ଼ିର ବୀମା ସ୍ଥିତି ଯାଞ୍ଚ କରିବା ପାଇଁ ଭାରତୀୟ ବୀମା ନିୟାମକ 'ଇରଡାଇ' (IRDAI) ଏବଂ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟକୁ ମିଳିତ ଭାବେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରସ୍ତୁତ କରିବାକୁ କହିଛନ୍ତି। ଗାଡ଼ିଗୁଡ଼ିକର ବୀମା ଅଛି କି ନାହିଁ ତାହା ସହଜରେ ଚିହ୍ନଟ କରିବା ପାଇଁ 'ଅଟୋମେଟିକ୍ ନମ୍ବର ପ୍ଲେଟ୍ ରେକଗ୍ନିସନ୍' (ANPR) କ୍ୟାମେରା ବ୍ୟବହାର କରିବାକୁ ମଧ୍ୟ ଅଦାଲତ ପରାମର୍ଶ ଦେଇଛନ୍ତି। ପେଟ୍ରୋଲ୍ ପମ୍ପରେ ଗାଡ଼ିର ଇନ୍ସୁରାନ୍ସ ଯାଞ୍ଚ ହେବା ପରେ ହିଁ ତେଲ ଦିଆଯିବ।
୫୬ ପ୍ରତିଶତ ଗାଡ଼ି ବିନା ଇନ୍ସୁରାନ୍ସରେ:
ସଂସଦର ଅର୍ଥ ସମ୍ପର୍କିତ ସ୍ଥାୟୀ କମିଟିର ୨୦୨୪-୨୫ ରିପୋର୍ଟ ଉଲ୍ଲେଖ କରି ସୁପ୍ରିମ୍ କୋର୍ଟ ଦର୍ଶାଇଛନ୍ତି ଯେ, ବର୍ତ୍ତମାନ ଦେଶରେ ପ୍ରାୟ ୫୬ ପ୍ରତିଶତ ଗାଡ଼ି ବିନା ବୀାମାରେ ଚାଲୁଛି। ଦେଶରେ ମୋଟ ପଞ୍ଜୀକୃତ ହୋଇଥିବା ୩୦.୪୮ କୋଟି ଗାଡ଼ି ମଧ୍ୟରୁ ପ୍ରାୟ ୧୬.୫୪ କୋଟି ଗାଡ଼ିର କୌଣସି ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନାହିଁ।
ମୋଟର ଯାନ ଆଇନର ଧାରା ୧୪୬ ଅନୁଯାୟୀ ପ୍ରତ୍ୟେକ ଗାଡ଼ି ପାଇଁ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ବାଧ୍ୟତାମୂଳକ। ମାତ୍ର ଏହାର ସଠିକ୍ ଅନୁପାଳନ ହେଉ ନଥିବାରୁ ପେଟ୍ରୋଲ୍ ପମ୍ପଗୁଡ଼ିକରେ ଜାଳେଣି ରୋକିବା ଦ୍ୱାରା ଅସାଧୁ ଗାଡ଼ି ଚାଳକମାନେ ନିଜ ଯାନର ବିମା ନବୀକରଣ (Renew) କରିବାକୁ ବାଧ୍ୟ ହେବେ।
ଏହା ସହିତ, ଜାତୀୟ ରାଜପଥଗୁଡ଼ିକରେ ଦୁର୍ଘଟଣା କମାଇବା ଏବଂ ଟୋଲ୍ ପ୍ଲାଜାରେ ଭିଡ଼ ନିୟନ୍ତ୍ରଣ ପାଇଁ ଟୋଲ୍ରେ ନଅଟକି ଅଟୋମେଟିକ୍ ସିଷ୍ଟମ୍ ଜରିଆରେ ଗାଡ଼ି ଚିହ୍ନଟ କରି ଟିକସ ଆଦାୟ କରିବା ପାଇଁ ମଧ୍ୟ କୋର୍ଟ ପ୍ରସ୍ତାବ ଦେଇଛନ୍ତି।