ନୂଆଦିଲ୍ଲୀ: ବନ୍ଦାୟୁରେ ଶମସି ଶାହି ମସଜିଦକୁ ନେଇ ଦାଖଲ ଯାଚିକା ଉପରେ ଶୁଣାଣିକୁ କୋର୍ଟ ଘୁଞ୍ଚାଇଛନ୍ତି । ନୀଳକଣ୍ଠ ମହାଦେବ ମନ୍ଦିର ବନାମ ଜାମା ମସଜିଦ ଶମସି ମାମଲାରେ ପରବର୍ତ୍ତୀ ଶୁଣାଣି ପାଇଁ ଡିସେମ୍ବର ୧୦ ତାରିଖ ଧାର୍ଯ୍ୟ କରାଯାଇଛି । ସୂଚନା ଅନୁଯାୟୀ, ଆଜି ଶୁଣାଣି ଆରମ୍ଭ ହେବାର କିଛି ସମୟରେ କୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।
ମାମଲାର ଆଇନଜୀବୀ ବିବେକ ରେଣ୍ଡର କହିଛନ୍ତି, ଆମ ପାଖରେ ପ୍ରମାଣ ଅଛି ଯେ, ଏହି ବିବାଦୀୟ ସଂପତ୍ତି ଏକ ହିନ୍ଦୁ ମନ୍ଦିର । ଆମେ କେବଳ ଏହା ଚାହୁଁଛୁ ଯେ, ସେଠାରେ ପ୍ରାର୍ଥନା ପୂଜା ଯେମିତି ଚାଲିଛି, ସେଥିରେ ବାଧା ନ ଉପୁଜୁ ଏବଂ ଏହା ଜାରି ରହୁ । ଆମ ପାଖରେ ଜମିର କାଗଜପତ୍ର ରହିଛି, ଯାହା ଦର୍ଶାଉଛି ଯେ, ସଂପତ୍ତି ଜାମା ମସଜିଦର ନୁହେଁ । ଏଏସଆଇର ଆଡଭୋକେଟ ପୂର୍ବରୁ ହିଁ ନ୍ୟାୟାଳୟରେ ନିଜର ବିଚାର ରଖି ସାରିଛନ୍ତି ।
ଆଡଭୋକେଟ୍ ବିବେକ ରେଣ୍ଡର କହିଛନ୍ତି, ଏହା ବାସ୍ତବରେ ନୀଳକଣ୍ଠ ମହାଦେବ ମନ୍ଦିର ଥିଲା । ଏ ବାବଦରେ ଯାଚିକା ୨୦୨୨ ଅଗଷ୍ଟ ୮ ତାରିଖରେ ଦାୟର କରାଯାଇଥିଲା । କୋର୍ଟ ଯାଚିକାକୁ ସ୍ୱୀକାର ମଧ୍ୟ କରିଛନ୍ତି । କୋର୍ଟ ଏହା ମଧ୍ୟ ମାନିଛନ୍ତି ଯେ, ଆବେଦନ ବିଚାର ଯୋଗ୍ୟ । ଆମର ମୁଖ୍ୟ ଦାବି ଆମକୁ ନୀଳକଣ୍ଠ ମନ୍ଦିରରେ ସେମିତି ପୂଜାର୍ଚ୍ଚନା କରିବାକୁ ଅନୁମତି ଦିଆଯାଉ ଯେମିତି ପୂର୍ବେ ଚାଲିଥିଲା ।
ମାମଲାର ମୁସଲିମ ପକ୍ଷଙ୍କ ଓକିଲ ଅସରାର ଅହମ୍ମଦ ସିଦ୍ଦିକି କହିଛନ୍ତି, ଯେଉଁ ମାମଲା ଦାୟର କରାଯାଇଛି ତାହା ମିଥ୍ୟା ଅଟେ । ଏହା ଶାନ୍ତି ଭଙ୍ଗ ପାଇଁ ଉଦ୍ୟମ କରାଯାଉଛି । ହିନ୍ଦୁ ପକ୍ଷଙ୍କ ଏହି ମସଜିଦ ଉପରେ କୌଣସି ଅଧିକାର ନାହିଁ ।