ମୁମ୍ବାଇ: ଯଦି ଆପଣ ଗୁଗଲ୍ ପେ, ଫୋନ୍ ପେ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ଅନଲାଇନ୍ ଟ୍ରାନ୍ସଫର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଦେଶରେ ଦିନକୁ ଦିନ ବଢ଼ି ଚାଲିଥିବା ଡିଜିଟାଲ୍ ସାଇବର ଫ୍ରଡ୍ ବା ଅନଲାଇନ୍ ପ୍ରତାରଣାକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ବଡ଼ ଧରଣର ପଦକ୍ଷେପ ନେବାକୁ ଯାଉଛି। ଆରବିଆଇର ନୂଆ ପ୍ରସ୍ତାବ ଅନୁଯାୟୀ, ଏଣିକି ୧୦,୦୦୦ ଟଙ୍କାରୁ ଅଧିକ ଅନଲାଇନ୍ କାରବାର କଲେ ତାହା ସଙ୍ଗେ ସଙ୍ଗେ ପଠାଯାଇପାରିବ ନାହିଁ, ବରଂ ଏଥିପାଇଁ ୧ ଘଣ୍ଟାର ସମୟ ଲାଗିବ।
କ’ଣ ଏହି ‘କୁଲିଂ-ଅଫ୍ ପିରିୟଡ୍’?
ଆରବିଆଇ ପକ୍ଷରୁ ପ୍ରକାଶିତ ଏକ ଚର୍ଚ୍ଚା ପତ୍ର ଅନୁସାରେ, ଯେତେବେଳେ କୌଣସି ଗ୍ରାହକ, ପ୍ରୋପ୍ରାଇଟର କିମ୍ବା ପାର୍ଟନରସିପ୍ ଫାର୍ମ ୧୦ ହଜାର ଟଙ୍କାରୁ ଅଧିକ ଡିଜିଟାଲ୍ ପେମେଣ୍ଟ କରିବେ, ସେତେବେଳେ ସେହି ନେଣଦେଣ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଏକ ଘଣ୍ଟାର ‘କୁଲିଂ-ଅଫ୍ ପିରିୟଡ୍’ ବା ବିରତି ରହିବ। ଏହି ନିୟମ କେବଳ ଟଙ୍କା ପଠାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଲାଗୁ ହେବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଇବର ଅପରାଧୀମାନେ ଯେପରି ଲୋକଙ୍କୁ ଭୟଭୀତ କରାଇ କିମ୍ବା ପ୍ରଲୋଭନ ଦେଖାଇ ତୁରନ୍ତ ଟଙ୍କା ଲୁଟି ନେଇପାରିବେ ନାହିଁ। ଏହି ଏକ ଘଣ୍ଟାର ସମୟ ଗ୍ରାହକଙ୍କୁ ଚିନ୍ତା କରିବାକୁ ଏବଂ ନିଜ ସାବଧାନତା ଅବଲମ୍ବନ କରିବାକୁ ସୁଯୋଗ ଦେବ।
ସାଧାରଣ ଲୋକେ ହେବେ ହଇରାଣ !
ଦେଶର ବ୍ୟାଙ୍କିଙ୍ଗ୍ ସେକ୍ଟର ଆରବିଆଇର ଏହି ସୁରକ୍ଷା ବ୍ୟବସ୍ଥାକୁ ସ୍ୱାଗତ କରିଥିଲେ ମଧ୍ୟ ସାଧାରଣ ଜନତାଙ୍କ ସୁବିଧାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ବ୍ୟାଙ୍କଗୁଡ଼ିକର କହିବା କଥା ଯେ, ଏହି ନିୟମ ଦ୍ୱାରା ଜାଲିଆତି କମିବ ସତ, କିନ୍ତୁ ଦୈନନ୍ଦିନ ବ୍ୟବସାୟ ଓ କାରବାରରେ ସମସ୍ୟା ସୃଷ୍ଟି ହେବ। ଉଦାହରଣ ସ୍ୱରୂପ, ଯଦି କେହି ଦୋକାନରୁ ୧୦ ହଜାରରୁ ଅଧିକ ଟଙ୍କାର ମୋବାଇଲ୍ କିମ୍ବା ଅନ୍ୟ ସାମଗ୍ରୀ କିଣୁଛନ୍ତି, ତେବେ ପେମେଣ୍ଟ କ୍ଲିୟର୍ ହେବା ପାଇଁ ଗ୍ରାହକ ଦୋକାନରେ ଏକ ଘଣ୍ଟା ଅପେକ୍ଷା କରିବାକୁ ପସନ୍ଦ କରିବେ ନାହିଁ। ତେଣୁ ଏହି ନିୟମରେ କିଛିଟା କୋହଳ ରହିବା ଆବଶ୍ୟକ।
ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ‘ଟ୍ରଷ୍ଟେଡ୍ ପର୍ସନ’ ନିୟମ
ବୟସ୍କ ବ୍ୟକ୍ତି ଏବଂ ଦିବ୍ୟାଙ୍ଗମାନଙ୍କ ଜମାପୁଞ୍ଜିକୁ ସୁରକ୍ଷିତ ରଖିବା ପାଇଁ ଆରବିଆଇ ଆଉ ଏକ ବଡ଼ ପ୍ରସ୍ତାବ ଦେଇଛି। ୭୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନେ ଯଦି ୫୦,୦୦୦ ଟଙ୍କାରୁ ଅଧିକ ଡିଜିଟାଲ୍ ଟ୍ରାନ୍ସଫର କରନ୍ତି, ତେବେ ଏଥିପାଇଁ ଜଣେ ‘ଟ୍ରଷ୍ଟେଡ୍ ପର୍ସନ’ ବା ବିଶ୍ୱସ୍ତ ବ୍ୟକ୍ତିଙ୍କ ମଞ୍ଜୁରୀ ଜରୁରୀ ହେବ।