ପୂର୍ବରୁ ଚିଠି ପଠାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ, ଏବେ ସିଧାସଳଖ ମଙ୍ଗଳ କେୱଟଙ୍କୁ ଭେଟିଲେ
Khabar Odisha:Nation-PM-Narendra-Modi-met-rikshaw-puller-Mangal-Kewat-who-invited-pm-for-his-Daughters-marriage

ବାରାଣସୀ, ଫେବୃଆରୀ ୧୮ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ବାରାଣସୀର ଜଣେ ରିକ୍ସା ଚାଳକ ମଙ୍ଗଳ କେୱଟ ନିଜ ଝିଅର ବିବାହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ପଠାଇଥିଲେ । ରବିବାର ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ବାରାଣସୀ ପହଞ୍ଚିଥିଲେ, ସେ ମଙ୍ଗଳଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଝିଅ-ଜ୍ୱାଇଁଙ୍କୁ ସାଥୀରେ ନ ଆଣିବା ସଂପର୍କରେ ମଧ୍ୟ ପଚାରି ବୁଝିଛନ୍ତି । 

ସୂଚନାଯୋଗ୍ୟ ନରେନ୍ଦ୍ର ମୋଦୀଙ୍କ ପୋଷ୍ୟ ଗ୍ରାମ ଡୋମରୀ ନିବାସୀ ମଙ୍ଗଳ ପ୍ରତିଦିନ ସକାଳୁ ଗଙ୍ଗାଘାଟକୁ ସଫା କରିଥାନ୍ତି । ଏହି କାମ କରି ସେ ଦିନ ଆରମ୍ଭ କରିଥାନ୍ତି । ମଙ୍ଗଳ ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଯାଇ ନିଜର ଝିଅ ସାକ୍ଷୀର ବିବାହ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ଦେଇ ଆସିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବାର୍ତ୍ତା ଲେଖି ବର-ବଧୂଙ୍କୁ ଆଶୀର୍ବାଦ କରିଥିଲେ । ଜଣେ ରିକ୍ସା ଚାଳକଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇବାକୁ ନେଇ ଦେଶର ଚାରିଆରେ ଲୋକେ ପ୍ରଶଂସା କରିଥିଲେ । 

ପ୍ରଧାନମନ୍ତ୍ରୀ ମୋଦୀ ରବିବାର ବାରାଣସୀ ଗସ୍ତରେ ଆସିଥିଲେ । ସେ ବହୁ ବ୍ୟସ୍ତ ରହିବା ସତ୍ତ୍ୱେ ମଧ୍ୟ ମଙ୍ଗଳଙ୍କୁ ଭୁଲି ନ ଥିଲେ । ମୋଦୀ ବଡ଼ଲାଲପୁରସ୍ଥିତ ହସ୍ତକଳା ସଂକୁଳକୁ ମଙ୍ଗଳଙ୍କୁ ଡାକିଥିଲେ । ସେ ମଙ୍ଗଳଙ୍କୁ ସ୍ୱାଗତ କରି ପାଖରେ ବସାଇଥିଲେ । ୪ରୁ ୫ ମିନିଟ କଥା ହୋଇଥିଲେ । ଝିଅର ବିବାହ କେମିତି ହୋଇଥିଲା, ସେ ବାବଦରେ ମଙ୍ଗଳଙ୍କ ଠାରୁ ଅବଗତ ହୋଇଥିଲେ । ଜ୍ୱାଇଁ କେଉଁଠି କାମ କରନ୍ତି ବୋଲି ପଚାରି ବୁଝିଥିଲେ । 

ଏହି ଅବସରରେ ମୋଦୀ କହିଥିଲେ, ମୋତେ ଜଣାଅଛି ଯେ, ଆପଣ ଦେଶର ସେବା କରୁଛନ୍ତି । ଏଭଳି କାମ ଆଗକୁ ମଧ୍ୟ ଜାରି ରଖନ୍ତୁ । ଏହା ଏକ ଉଦାହରଣ । ମୋଦୀ ଭକ୍ତ ହୋଇ ରହିବାକୁ ଚାହୁଁଛି ବୋଲି ମଙ୍ଗଳ ଯେତେବେଳେ କହିଲେ, ପ୍ରଧାନମନ୍ତ୍ରୀ କହିଲେ- ଆପଣ ଦେଶ ପାଇଁ କାମ କରୁଛନ୍ତି । ଏଭଳି ମିଶନ ଆଗକୁ ମଧ୍ୟ ଜାରି ରଖନ୍ତୁ । ଆମେ ଆପଣଙ୍କ ସାଥୀରେ ଅଛୁ । 

 

  • Tags:

Subscribe

National International State Sports Entertainment