ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦୋଷୀ ନଳିନୀ
Khabar Odisha:Nation-Rajiv-Gandhi-assassination-case-convict-Nalini-appeal-in-SC-for-release

ନୂଆଦିଲ୍ଲୀ, ଅଗଷ୍ଟ ୧୨ (ଖବର ଓଡ଼ିଶା): ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡ ପାଇଥିବା ନଳିନୀ ଶ୍ରୀହରନ ନିର୍ଦ୍ଧାରିତ ସମୟ ପୂର୍ବରୁ ଜେଲରୁ ବାହାରିବା ପାଇଁ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ନଳିନୀ ଶ୍ରୀହରନ ମାଡ୍ରାସ ଉଚ୍ଚ ନ୍ୟାୟାଳୟର ଗତ ଜୁନ ୧୭ ତାରିଖର ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉଚ୍ଚ ନ୍ୟାୟାଳୟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ଦୋଷୀ ନଳିନୀ ଓ ରବିଚନ୍ଦ୍ରନଙ୍କ ଆବେଦନ ଖାରଜ କରିଦେଇଥିଲେ, ଯେଉଁଥିରେ ରାଜ୍ୟର ରାଜ୍ୟପାଳଙ୍କ ସହମତି ବିନା ତାଙ୍କର ଖଲାସ ଆଦେଶ ଦେବାକୁ ଅନୁରୋଧ କରାଯାଇଥିଲା । 

ମାଡ୍ରାସ ହାଇକୋର୍ଟ ନଳିନୀଙ୍କ ଆବେଦନ ଖାରଜ କରି କହିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ ୨୨୬ ଅନୁସାରେ ତାଙ୍କ ପାଖରେ ଶକ୍ତି ନାହିଁ, ଯେଉଁଭଳି ଭାବେ ଉଚ୍ଚତମ ନ୍ୟାୟାଳୟର ଅନୁଚ୍ଛେଦ ୧୪୨ ପାଖରେ ସ୍ୱାଧୀନତା ରହିଛି । ସମ୍ବିଧାନର ଅନୁଚ୍ଛେଦ ୧୪୨ ବଳରେ ଅସାଧାରଣ ଶକ୍ତିର ବ୍ୟବହାର କରି ଉଚ୍ଚତମ ନ୍ୟାୟାଳୟ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ୩୦ ବର୍ଷରୁ ଅଧିକ ଜେଲଦଣ୍ଡ ଭୋଗିଥିବା ଏଜି ପେରାରିୱଲନଙ୍କୁ ଖଲାସ କରିବା ପାଇଁ ଗତ ମେ’ ମାସ ୧୮ ତାରିଖରେ ଆଦେଶ ଦେଇଥିଲେ । 

ସୂଚନାଯୋଗ୍ୟ, ତାମିଲନାଡୁର ଶ୍ରୀପେରମ୍ବଦୂରରେ ୧୯୯୧ ମସିହା ୨୧ ତାରିଖରେ ଏକ ନିର୍ବାଚନୀ ରାଲି ସମୟରେ ଜଣେ ମହିଳା ଆତ୍ମଘାତୀ ଆକ୍ରମଣକାରି ନିଜକୁ ବିସ୍ଫୋରଣ କରି ଉଡାଇଥିଲେ । ଏହି ଘଟଣାରେ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା । ଆକ୍ରମଣକାରୀଙ୍କ ନାଁ ଧନୁ ଥିଲା । ଏହି ଘଟଣାରେ ନଳିନୀଙ୍କ ସମେତ ୪ ଜଣଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିଲା । କିନ୍ତୁ ୨୦୦୧ରେ ଏହି ମୃତ୍ୟୁ ଦଣ୍ଡ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ ହୋଇଥିଲା । 

 

  • Tags:

Subscribe

National International State Sports Entertainment