ନୂଆଦିଲ୍ଲୀ, ଅଗଷ୍ଟ ୧୫ (ଖବର ଓଡ଼ିଶା): ବିଶ୍ୱର ପ୍ରତିଟି କୋଣରେ ଭାରତୀୟଙ୍କ ଦ୍ୱାରା ଏବଂ ଭାରତ ପ୍ରତି ଅସୀମ ପ୍ରେମ ରଖୁଥିବା ଦେଶର ତ୍ରିରଙ୍ଗା ଚାରିଆଡେ ଉଡୁଛି । ବିଶ୍ୱବ୍ୟାପୀ ଭାରତପ୍ରେମୀ, ଭାରତୀୟଙ୍କୁ ଆଜାଦୀ କା ଏହି ଅମୃତ ମହୋତ୍ସବର ଶୁଭେଚ୍ଛା ଜଣାଉଛି । ଆଜିର ଏହି ଦିନଟି ଐତିହାସିକ ଦିବସ । ଏକ ପୂଣ୍ୟର ମୁହୂର୍ତ୍ତ, ଏକ ନୂଆ ଆଶା, ଏକ ନୂଆ ସଂକଳ୍ପ ଏବଂ ନୂଆ ସାମର୍ଥ୍ୟ ସହିତ ପାଦ ବଢ଼ାଇବାର ସମୟ ଆସିଛି । ସ୍ୱାଧୀନତା ପାଇଁ ଲଢ଼େଇର ଦିନକୁ ଭୁଲି ହେବ ନାହିଁ । ୭୬ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ ୯ମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ କହିଛନ୍ତି, ‘ଆଜଦୀ କା ଅମୃତ ମହୋତ୍ସବ’ ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି । ଏବେ ସହିଦଙ୍କୁ ମନେ ପକାଇବାର ସମୟ । ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇବାର ସମୟ ।
ବିଭାଜନର ଦୁଃଖ ହୋଇଛି । ତ୍ରିରଙ୍ଗା ପାଇଁ ବହୁତ ସହିବାକୁ ପଡିଛି । ବିଗତ ୭୫ ବର୍ଷରେ ଦେଶ ପାଇଁ ମରିବା-ଜିଇଁବା, ଦେଶର ସୁରକ୍ଷା, ଦେଶର ସଂକଳ୍ପକୁ ପୂରା କରିବା ଆଦି ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ରହିଛି । ସମସ୍ତଙ୍କ ଯୋଗଦାନକୁ ମନେ ପକାଇବାର ସମୟ ମଧ୍ୟ ଆସିଛି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ନାରାୟଣ ଗୁରୁ, ମହର୍ଷି ଅରବିନ୍ଦ, ଗୁରୁଦେବ ରବୀନ୍ଦ୍ରନାଥ ଟାଗେର ଭାରତର ଚେତନାକୁ ଜାଗ୍ରତ କରିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ଦେଶବ୍ୟାପୀ ପାଳନ କରାଯାଇଛି । ସ୍ୱାଧୀନତାର ସ୍ମୁତି ପାଇଁ ଏହ ପର୍ବ ପାଳନ କରାଯାଇଛି । ଏହାରି ମାଧ୍ୟମରେ ମହାପୁରୁଷଙ୍କୁ ମନେ ପକାଯାଇଛି । ସ୍ୱାଧୀନତା ପାଇଁ ଲଢ଼ିଥିବା ନେହରୁ, ରାଜେନ୍ଦ୍ର ପ୍ରସାଦ, ଶ୍ୟାମ ପ୍ରସାଦ ମୁଖାର୍ଜୀ, ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ନାନାଜୀ ଦେଶମୁଖ ଭଳି ଅଗଣିତ ମହାପୁରଷଙ୍କୁ ଆଜି ପ୍ରଣାମ କରିବାର ସମୟ ଆସିଛି । ଆମେ ସମସ୍ତେ ପୂଜ୍ୟ ବାପୁ, ନେତାଜୀ ସୁଭାଷ ଚନ୍ଦ୍ର ବୋସ, ବାବାସାହେବ ଆମ୍ବେଦକର ଓ ବୀର ସଭରକରଙ୍କ ପ୍ରତି କୃତଜ୍ଞ । ମଙ୍ଗଳପାଣ୍ଡେ, ତାତ୍ୟା ଟୋପେ, ଭଗତ ସିଂହ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ, ଅଶଫାକଉଲ୍ଲାହ, ରାମପ୍ରସାଦ ବିସମିଲ୍ଲା ଭଳି ସଂଗ୍ରାମୀ ସ୍ମରଣୀୟ ରହିବେ । ସେହିପରି ବୀରଙ୍ଗାନା ରାଣୀ ଲକ୍ଷ୍ମୀବାଇ, ଝଲକାରୀ ବାଇ, ଦୁର୍ଗା ଭାଭୀ, ରାଣୀ ଚେମ୍କା, ବେଗମ ହଜରତ ମହଲଙ୍କ ଅବଦାନ ସ୍ମରଣୀୟ ରହିବ ।
ଗୃହ ମନ୍ତ୍ରାଳୟ ପକ୍ଷରୁ ପୂର୍ବ ପ୍ରସ୍ତୁତି ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧୀ ସ୍ଥଳ ‘ରାଜଘାଟ’ ପହଂଚି ସେଠାରେ ପୁଷ୍ପା ଅର୍ପଣ କରଥିଲେ । ଏହା ପରେ ରାଜଘାଟରୁ ସିଧାସଳଖ ଲାଲକିଲ୍ଲା ଅଭିମୁଖେ ବାହାରିଥିଲେ । ଲାହୋରୀ ଗେଟରେ ଆଏଏମ, ଆରଆରଏମ ଓ ଡିଫେନ୍ସ ସୁରକ୍ଷାକର୍ମୀ ପିଏମ୍ଙ୍କୁ ଆଣିବା ପାଇଁ ଯାଇଥିଲେ । ଜାତୀୟ ପତାକା ଉତ୍ତୋଳନ କରିବା ପୂର୍ବରୁ ତାଙ୍କୁ ଲାଲକିଲ୍ଲାରେ ଗାର୍ଡ ଅଫ୍ ଅର୍ନର ଦିଆଯାଇଥିଲା ।
ଜାତୀୟ ସ୍ତରୀୟ ସ୍ୱାଧୀନତା ଦିବସ ଅବରରେ ଲାଲକିଲ୍ଲା ଆଖପାଖରେ ମଲ୍ଟିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେନାର ଯବାନ ସମେତ ଦିଲ୍ଲୀ ପୁଲିସ ମୁତୟନ ହୋଇଥିଲେ । ସେହିପରି ପ୍ରାୟ ୧୦୦୦ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ରଖାଯାଇଥିଲା । ରାଜଧାନୀ ଦିଲ୍ଲୀର ଅନ୍ୟ ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଥିଲା । ଜାତୀୟ ପର୍ବ ପାଳନ ଅବସରରେ ଲାଲକିଲ୍ଲା ଆଖପାଖ ଅଞ୍ଚଳରେ ରୁଟଗୁଡ଼ିକ ଡାଇଭର୍ଟ କରାଯାଇଥିଲା ।