ଗୁଆହାଟୀ, ଜୁନ୍ ୨୪ (ଖବର ଓଡ଼ିଶା): ମହାରାଷ୍ଟ୍ରର ଠାକରେ ସରକାରଙ୍କ ଉପରେ ସଂକଟର ବାଦଲ ଘୋଡେଇ ହୋଇ ରହିଛି । ଶିବସେନାର ବରିଷ୍ଠ ନେତା ଓ ମନ୍ତ୍ରୀ ଏକନାଥ ଶିନ୍ଦେ ବିଦ୍ରୋହୀ ହେବା କାରଣରୁ ସରକାରଙ୍କୁ ସଂକଟ ପଡ଼ିଛି । ଶିନ୍ଦେଙ୍କ ଦାବି ଯେ, ତାଙ୍କ ପାଖରେ ୪୦ରୁ ଅଧିକ ବିଧାୟକ ଅଛନ୍ତି । ଶିନ୍ଦେଙ୍କୁ ଏବେ ମୋଟ ୪୬ ଜଣ ଶିବସେନା ଓ ସ୍ୱାଧୀନ ବିଧାୟକ ସମର୍ଥନ କରୁଛନ୍ତି, ଯେଉଁମାନେ କି ଏବେ ଗୁଆହାଟୀସ୍ଥିତ ଏକ ବିଳାସପୂର୍ଣ୍ଣ ହୋଟେଲ ‘ରେଡିସନ ବ୍ଲୁ’ରେ ରହୁଛନ୍ତି ।
ସ୍ଥାନୀୟ ବିମାନବନ୍ଦର ଠାରୁ ହୋଟେଲ ପହଞ୍ଚିବାକୁ ପ୍ରାୟ ଅଧ ଘଣ୍ଟା ସମୟ ଲାଗିଥାଏ । ଏହି ବିଳାସପୂର୍ଣ୍ଣ ହୋଟେଲ ଗୁଆହାଟୀର ଚର୍ଚ୍ଚିତ ହୋଟେଲ ମଧ୍ୟରୁ ଅନ୍ୟତମ । ଆଜିର ଦିନରେ ଏହି ହୋଟେଲ ଏକ ପ୍ରକାର ପାୱାର କରିଡର ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ମହାରାଷ୍ଟ୍ରର ୪୬ ଜଣ ବିଧାୟକ ଏଠାରେ ରହୁଥିବାରୁ ସମଗ୍ର ଦେଶର ଜନତା ଏହି ହୋଟେଲ ଉପରେ ନଜର ରଖିଛନ୍ତି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହୋଟେଲର ୭୦ଟି କଠୋରୀ ୭ ଦିନ ପାଇଁ ବୁକ କରାଯାଇଛି । ଏକନାଥ ଶିନ୍ଦେ ଓ ଅନ୍ୟ ବିଦ୍ରୋହୀ ବିଧାୟକ ବୁଧବାର ସକାଳୁ ଗୁଜରାଟର ସୁରତରୁ ଗୁଆହାଟୀ ପହଞ୍ଚି ଥିଲେ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତେ ହୋଟେଲକୁ ଯାଇଥିଲେ । ରେଡିସନ ବ୍ଲ ହୋଟେଲରେ ୭ଦିନର କୋଠରି ବୁକ ପାଇଁ ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହା ବ୍ୟତୀତ ଖାଇବା ଓ ଅନ୍ୟ ସେବା ପାଇଁ ଦୈନିକ ଖର୍ଚ୍ଚ ରହିଛି ୮ ଲକ୍ଷ ଟଙ୍କା । ହୋଟେଲରେ ୧୯୬ଟି କୋଠରି ରହିଛି । ବିଧାୟକଙ୍କ ପାଇଁ ୭୦ କୋଠରି ବୁକ ହୋଇଛି । ବିଧାୟକଙ୍କ ବିମାନ ଖର୍ଚ୍ଚ ୫୦ ଲକ୍ଷରୁ ଅଧିକ ଟଙ୍କା ହୋଇଥିଲା । ଏହା ବ୍ୟତୀତ ଅନ୍ୟ ପରିବହନ ଓ ଅତିରିକ୍ତ ଖର୍ଚ୍ଚ ମଧ୍ୟ ରହିଛି ।