ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୀତି ଆୟୋଗର ନବମ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ୨୦୪୭ ପର୍ଯ୍ୟନ୍ତ ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଢ଼ିବା ନେଇ ଆଲୋଚନା ହେବ। ଗଭର୍ଣ୍ଣିଂ କାଉନସିଲ ନୀତି ଆୟୋଗର ଶୀର୍ଷ ଶାଖା। ଏଥିରେ ସାମିଲ ହେବା ପାଇଁ ସବୁ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଓଡ଼ିଶାରୁ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତି ଆୟୋଗର ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଜଣେ ଅଧିକାରୀ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସହଭାଗୀ ଶାସନ ଓ ସହଯୋଗକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି ବୈଠକର ଆୟୋଜନ ହେଉଛି। ସରକାରୀ ବିତରଣ ତନ୍ତ୍ରକୁ ଶକ୍ତିଶାଳୀ କରିବା, ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକଙ୍କ ଜୀବନ ଶୈଳୀକୁ ଆହୁରି ଭଲ କରିବ ହେଉଛି ବୈଠକର ଅନ୍ୟ ଲକ୍ଷ୍ୟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗର ଅଧ୍ୟକ୍ଷ। ତାଙ୍କର ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକରେ ବିରୋଧୀ ଦଳର ଏକାଧିକ ମୁଖ୍ୟମନ୍ତ୍ରୀ ସାମିଲ ନହେବାକୁ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯଥା କର୍ଣ୍ଣାଟକର ସିଦ୍ଧରମୈୟା, ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁକ୍ଖୁ ଓ ତେଲଙ୍ଗାନାର ରେବନ୍ତ ରେଡ୍ଡୀ ଘୋଷଣା କରିଛନ୍ତି ଯେ, ସେମାନେ ନୀତି ଆୟୋଗର ବୈଠକରେ ଯୋଗ ଦେବେ ନାହିଁ। କିନ୍ତୁ ତୃଣ ମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟ ନୀତି ଆୟୋଗର ବୈଠକରେ ଯୋଗଦେବେ ବୋଲି କହିଛନ୍ତି।
ସେହିପରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଓ ଡିଏମ୍କେ ନେତା ଏମ୍କେ ଷ୍ଟାଲିନ, କେରଳର ମୁଖ୍ୟମନ୍ତ୍ରୀ ଓ ସିପିଆଇ ନେତା ପିନରାଇ ବିଜୟନଙ୍କ ସହିତ ଆମ ଆଦମୀ ପାର୍ଟିର ନେତୃତ୍ବରେ ପରିଚାଳିତ ପଂଜାବ, ଦିଲ୍ଲୀ ସରକାର ମଧ୍ୟ ବୈଠକକୁ ବହିଷ୍କାର କରିଥିବା ନେଇ ନିଷ୍ପତ୍ତି ନେଇଛି।