ପାଟଣା: କିଛି ମାସ ପୂର୍ବରୁ ତାମିଲନାଡୁରେ ବିଷାକ୍ତ ମଦପିଇ ୫୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏବେ ବିହାରର ସିୱାନ ଓ ଛପ୍ରାରେ ବିଷାକ୍ତ ମଦ ପିଇ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଏସ୍ପି ନିଶ୍ଚିତ କରିଛନ୍ତି। ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସିଭିଲ ସର୍ଜନଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ମୃତକଙ୍କ ମଧ୍ୟରେ ଛପରାର ୮ ଜଣ ଅଛନ୍ତି। ମଦ ପିଇବା ପରେ ଲୋକଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମାମଲା ପରେ ସିୱାନ ଜିଲ୍ଲା ମାଜିଷ୍ଟ୍ରେଟ୍ ମୁକୁଲ କୁମାର ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି, ବୁଧବାର ସକାଳ ପ୍ରାୟ ସାଢ଼େ ୭ଟାବେଳେ ମଗର ଓ ଓରାଇଆ ପଞ୍ଚାୟତରେ ୩ ଜଣଙ୍କ ରହସ୍ୟଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ସଙ୍ଗେସଙ୍ଗେ ଅଧିକାରୀଙ୍କ ଏକ ଟିମ୍ ଉକ୍ତ ଅଞ୍ଚଳକୁ ପଠାଯାଇଥିଲା ଏବଂ ଆଉ ୧୨ ଜଣଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା, କିନ୍ତୁ ବାଟରେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।