କର୍ଣ୍ଣାଟକ: ଜୀବନର ପ୍ରଥମ ଚାକିରି, ତା ପୁଣି ଆଇପିଏସ୍ ଅଫିସର ଭାବେ। ଏ ଖବର ଶୁଣିବା ମାତ୍ରେ ଖୁସିରେ ଫାଟି ପଡ଼ୁଥିଲେ ପୂରା ପରିବାର।ହେଲେ କିଏ ଜାଣିଥିଲା ଏ ଖୁସି କେବଳସୀମିତ ସମୟ ପାଇଁ। ଚାକିରିର ପ୍ରଥମ ଦିନରେ କାର୍ଯ୍ୟରେ ଯୋଗ ଦେବାକୁ ବାହାରି ପଡିଥିଲେ ଯୁବ ଆଇପିଏସ୍ ଅଫିସର ହର୍ଷବର୍ଦ୍ଧନ। ହେଲେ ତାଙ୍କ ଯିବା ବାଟରେ ଲୁଚିବସିଥିଲା ଯମ। ସଡ଼କ ଦୁର୍ଘଟଣା ଘଟି ତାଙ୍କ ଜୀବନ ଚାଲିଯାଇଛି। କର୍ଣ୍ଣାଟକର ହାସନ ଜିଲ୍ଲାରେ ଘଟିଛି ଏ ଦୁଃଖଦ ଘଟଣା।
୨୬ ବର୍ଷୀୟ ଆଇପିଏସ ଅଫିସର ହର୍ଷବର୍ଦ୍ଧନ ମୈସୁରରେ ନିଜ ଟ୍ରେନିଂ ପୂରା କରିବା ପରେ ପ୍ରଥମଥର କାର୍ଯ୍ୟରେ ଯୋଗ ଦେବାକୁ ବାହାରିଥିଲେ।ରବିବାର (୧ ଡିସେମ୍ବର)ରେ ରହିଥିଲା ତାଙ୍କର ପ୍ରଥମ କାର୍ଯ୍ୟକାଳ। ସେଥିପାଇଁ ପୋଲିସ ଗାଡ଼ିରେ ବାହାରି ପଡ଼ିଥିଲେ ହର୍ଷବର୍ଦ୍ଧନ, ହେଲେ ଯିବା ବାଟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ସେ ଯାଉଥିବା ପୋଲିସ କାରର ଟାୟାର ଫାଟିଯିବାରୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘର ଓ ଗଛକୁଧକ୍କା ଦେଇଥିଲା। ଯାହାଫଳରେ ଆଇପିଏସ ଅଫିସର ହର୍ଷବର୍ଦ୍ଧନଙ୍କ ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ତାଙ୍କର ମୃତ୍ୟୁଘଟିଛି।
ମୃତ ହର୍ଷବର୍ଦ୍ଧନ ହେଉଛନ୍ତି କର୍ଣ୍ଣାଟକ କ୍ୟାଡରର ୨୦୨୩ ମସିହାର ଆଇପିଏସ ଅଫିସର। ସେ ବିହାରର ମୂଳ ବାସିନ୍ଦା ହେଲେ ତାଙ୍କ ପରିବାର ମଧ୍ୟପ୍ରଦେଶରେ ରହୁଛନ୍ତି।ନିକଟରେ କର୍ଣ୍ଣାଟକ ପୋଲିସ ଏକାଡେମୀରୁ ୪ ସପ୍ତାହର ତାଲିମ୍ ପୂରା କରିବା ପରେ ହର୍ଷବର୍ଦ୍ଧନଙ୍କୁ ହାସନ ଜିଲ୍ଲାର ଏଏସପି ଭାବେ ନିୁଯକ୍ତି ମିଳିଥିିଲା। ହେଲେ ଚାକିରୀରେ ଯୋଗ ଦେବା ପାଇଁ ଯିବାବେଳେ ହିଁ ତାଙ୍କ ମୃତ୍ୟୁ ଘଟିଛି। ପୋଷ୍ଟିଂର ପ୍ରଥମ ଦିନରେ ତାଙ୍କର ଅକାଳବିୟୋଗକୁ ନେଇ ସମସ୍ତ ଦୁଃଖ ପ୍ରକାଶ କରିଛନ୍ତି। ଘଟଣାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି।