ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ ସ୍ୱାଭାବିକଠୁ ଅଧିକ ମୌସୁମୀ ବର୍ଷା ହୋଇଛି । ଭାରତୀୟ ପାଣିପାଗ ମଙ୍ଗଳବାର ଏହାର ସୂଚନା ଦେଇଛି । ଆଇଏମଡି କହିଛି, ଅଧିକରୁ ଅଧିକ ଲଘୁଚାପ କାରଣରୁ ୨୦୨୪ରେ ମୌସୁମୀ ସମୟରେ ଭାରତରେ ସ୍ୱାଭାବିକଠୁ ଆଠ ପ୍ରତିଶତ ଅଧିକ ବର୍ଷା ହୋଇଛି । ସଂପ୍ରତି ମୌସୁମୀର ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ୯ ରାଜ୍ୟରୁ ମୌସୁମୀ ବିଦାୟ ନେଇଛି।
ଆଇଏମଡିର ସଦ୍ୟତମ ସୂଚନା ଅନୁଯାୟୀ, ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ପୁରା ଜମ୍ମୁ-କାଶ୍ମୀର, ଲଦାଖ, ଗିଲଗିଟ, ବାଲିଟିସ୍ତାନ, ମୁଜଫରାବାଦ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ ବ୍ୟତୀତ ପଶ୍ଚିମ ମଧ୍ୟ ପ୍ରଦେଶ ଓ ପୂର୍ବ ରାଜସ୍ଥାନର କିଛି ଅଞ୍ଚଳରୁ ଫେରି ଯାଇଛି ।
ଆଇଏମଏଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଅକ୍ଟୋବରୁ ଡିସେମ୍ବର ପର୍ଯ୍ୟନ୍ତ ମୌସୁମୀର ପ୍ରତ୍ୟାବର୍ତ୍ତନ ସମୟରେ ତାମିଲନାଡୁ, ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ, କେରଳ ଓ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ଅଧିକ ବର୍ଷା ହୋଇପାରେ । ଏପରିକି ହାରାହାରିଠୁ ୧୧୨ ପ୍ରତିଶତ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଏହି ସମୟରେ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ଅଞ୍ଚଳ, ପୂର୍ବାଞ୍ଚଳର ଭାରତର କିଛି ଅଞ୍ଚଳ ଓ ଦେଶର ସୁଦୂର ଦକ୍ଷିଣ ଭାଗରେ ସ୍ୱାଭାବିକଠୁ କମ ବର୍ଷା ହେବ ବୋଲି ଅନୁମାନ କରାଯାଇଛି । ମୋଟାମୋଟି ଭାବେ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ଅକ୍ଟୋବରରେ ଦେଶର ଅନେକ ଭାଗରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇପାରେ ।