ଉତ୍ତରପ୍ରଦେଶର ସହାରନପୁରର ଏକ ବାଣ କାରଖାନାରେ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୧୧ ଟା ସମୟରେ ଏହି ଅଗ୍ନିକାଣ୍ଡଟି ଘଟିଥିଲା । କାରଖାନାରେ ନିଆଁ ଲାଗିବା ପରେ କାରଖାନାର ମାଲିକ ଘଟଣାସ୍ଥଳରୁ ପଳାଇଥିବା ପୋଲିସ କହିଛି । ନିଆଁ ଲାଗିବାର ସୂଚନା ପାଇସାରିବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ବାଣ କାରଖାନାରେ ୧୦ ରୁ ଅଧିକ ଶ୍ରମିକ କାମ କରନ୍ତି । କିନ୍ତୁ ନିଆଁ ଲାଗିବା ପରେ ଜଣେ ଶ୍ରମିକ ଭିତରେ ଫସି ଯାଇଥିଲେ । ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ କହିଛନ୍ତି ଯେ, ପ୍ରଥମେ କାରଖାନା ଭିତରେ ବିସ୍ପୋରଣ ହୋଇଥିଲା ପରେ କାରଖାନାରେ ନିଆଁ ଲାଗିଯାଇଥିଲା । ଧୀରେ ଧୀରେ ଏହି ନିଆଁ ସାରା କାରଖାନାରେ ବ୍ୟାପିଯାଇଥିଲା । ନିଆଁକୁ ଦେଖି ଶ୍ରମିକମାନେ ବାହାରକୁ ପଳାଇଆସିଥିଲେ କିନ୍ତୁ ଜଣେ ଭିତରେ ଫସି ଯାଇଥିଲେ । ପୋଲିସ ସୂଚନା ଅନୁସାରେ, ବାଣ କାରଖାନା ଚଲାଇବା ପାଇଁ କୌଣସି ସରକାର ଏବଂ ପ୍ରଶାସନ ଦେଇଥିବା ଲାଇସେନ୍ସ ନାହିଁ । କାରଖାନା ମାଲିକଙ୍କ ବିରୋଧରେ ପୋଲିସ ତଦନ୍ତ ଆରମ୍ଭ କରିଛି । ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ଅଛି ।