କିସ୍ତୱାଡ଼: ଗୁରୁବାର ଜମ୍ମୁ ଓ କାଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ତାଣ୍ଡବ ରଚିଛି। ଗୁରୁବାର ସକାଳ ପ୍ରାୟ ୧୧ଟା ସମୟରେ କିସ୍ତୱାଡ଼ରୁ ୯୦ କିଲୋମିଟର ଦୂର ଚିଶୋଟି ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଥିଲା। ପାଣି ସହିତ ପାହାଡ଼ରୁ କାଦୁଅ, ପଥର ଏବଂ ବଡ଼ ବଡ଼ ପଥର ବହି ଆସିଥିଲା। ନିଜ ପ୍ରବାହରେ ଯାହା ପଡ଼ୁଥିଲା ସବୁକିଛି ନଷ୍ଟ କରିଦେଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨ ଜଣ ସିଆରପିଏଫ ସୈନିକଙ୍କ ସମେତ ୪୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାରେ ପ୍ରାୟ ୨୫୦ ଜଣ ନିଖୋଜ ଅଛନ୍ତି ବୋଲି ଜଣାପଡ଼ିଛି। ଏପର୍ଯ୍ୟନ୍ତ ୧୬୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବଡ଼ ବାଧାପ୍ରାପ୍ତହୋଇଛି।
ବାଦଲ ଫାଟିବା ସମୟରେ ଚିଶୋଟି ଗାଁରେ ପ୍ରବଳ ଭିଡ଼ ହୋଇଥିଲା। କାରଣ ହଜାର ହଜାର ଭକ୍ତ ମାଚାଇଲ ମାତା ଯାତ୍ରା ପାଇଁ ସେଠାରେ ଏକତ୍ରିତ ହୋଇଥିଲେ। ଚିଶୋଟି ଠାରୁ ପ୍ରାୟ ୮.୫ କିଲୋମିଟର ଦୂରରେ ୯ ହଜାର ଫୁଟ ଉଚ୍ଚତାରେ ମାଚାଇଲ ମାତା ମନ୍ଦିର ଅବସ୍ଥିତ। ପ୍ରତିବର୍ଷ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଏହି ଯାତ୍ରା ପାଇଁ ଆସିଥାନ୍ତି। ଚିଶୋଟି ଗାଁ ପର୍ଯ୍ୟନ୍ତ ଏକ ରାସ୍ତା ଅଛି, ଏବଂ ତା’ପରେ ମନ୍ଦିରକୁ ଯିବାକୁ ପଡ଼ିଥାଏ। ଦୁର୍ଘଟଣା ସମୟରେ, ଭକ୍ତମାନଙ୍କ ପାଇଁ ଲଙ୍ଗର ଏବଂ ତମ୍ବୁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ବାଦଲ ଫଟା ବର୍ଷା ଯୋଗୁଁ ସବୁକିଛି ଧୋଇ ଯାଇଛି। ପାଣିର ପ୍ରବଳ ପ୍ରବାହରେ ଦୋକାନ, ଘର, ରାସ୍ତା ଏବଂ ପୋଲ ମଧ୍ୟ ନଷ୍ଟ ହୋଇଯାଇଛି। ପ୍ରଶାସନ ଅନୁଯାୟୀ, ସରକାରୀ ଭାବରେ ୨୨୦ଜଣ ଲୋକ ନିଖୋଜ ଅଛନ୍ତି। କିନ୍ତୁ ପ୍ରକୃତ ସଂଖ୍ୟା ଏହାଠାରୁ ବହୁତ ଅଧିକ ହୋଇପାରେ। କାରଣ ମାଚାଇଲ ମାତା ଯାତ୍ରା ଯୋଗୁଁ ହଜାର ହଜାର ଲୋକଙ୍କ ସେଠାରେ ସମାଗମ ଘଟିଥିଲା।
ଦୁର୍ଘଟଣାର ଖବର ପାଇବା ମାତ୍ରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉଧମପୁରରୁ NDRFର ଦୁଇଟି ଦଳ ଚିଶୋଟି ଅଭିମୁଖେ ଯାତ୍ରା କରିଛନ୍ତି। ଜମ୍ମୁ କଶ୍ମୀର ପୋଲିସ, ସେନା ଏବଂ SDRFର ଦଳ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କିସ୍ତୱାଡ଼, ଡୋଡା ଏବଂ ଭାଦରୱାହରୁ ଆମ୍ବୁଲାନ୍ସ ପଠାଯାଇଥିବା ବେଳେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କିନ୍ତୁ ଖରାପ ପାଗ ଯୋଗୁଁ ହେଲିକପ୍ଟର ଉଡ଼ାଣ ସମ୍ଭବପର ହୋଇ ପାରୁନି। ପୁଣି ରାସ୍ତା ଧୋଇଯିବାରୁ ଆହତମାନଙ୍କୁ ଡାକ୍ତରଖାନା ନେବା କଷ୍ଟକର ହୋଇ ପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ସମସ୍ତ ପ୍ରକାରର ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ଜମ୍ମୁ ଓ କାଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ବାଦଲ ଫଟା ବର୍ଷାରେ ମୃତକ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି। ଲୋକଙ୍କୁ ଆବଶ୍ୟକୀୟ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯିବ। ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଚାଲିଛି। ଆବଶ୍ୟକ ଥିବା ଲୋକଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯିବ।'