ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ ବ୍ରିଟିଶ ଏୟାରୱେଜରୁ ଲଣ୍ଡନ ଓ କୋଲକାତା ମଧ୍ୟରେ ସିଧାସଳଖ ବିମାନ ସେବା ଉଡାଣ ପୁଣି ଥରେ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି । ବ୍ରିଟେନ ଗସ୍ତରେ ପହଞ୍ଚିଥିବା ମମତା ବ୍ରିଟିଶ କମ୍ପାନିଗୁଡିକୁ ରାଜ୍ୟରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି । ଏହି ସମୟରେ ମମତା ଲଣ୍ଡନରେ ବ୍ରିଟିଶ ଉଚ୍ଚାୟୋଗଙ୍କ ସହିତ ବୈଠକ କରିଛନ୍ତି । ଏପରିକି ତାଙ୍କୁ ଚଳିତ ସପ୍ତାହରେ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଭାଷଣ ଦେବାକୁ ଆମନ୍ତ୍ରଣ ମିଳିଛି ।
ବାନାର୍ଜୀ ମଙ୍ଗଳବାର ଲଣ୍ଡନରେ ଏକ ବୈଠକରେ କୋଲକାତାରୁ ଲଣ୍ଡନ ମଧ୍ୟରେ ସିଧାସଳଖ ବିମାନ ସେବା ନ ଥିବା କାରଣରୁ ହେଉଥିବା ସମସ୍ୟା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ବ୍ରିଟିଶ ଏୟାରୱେଜର ମୋର ବନ୍ଧୁମାନଙ୍କୁ ମୋର ଏ ନେଇ ବିଶେଷ ଅନୁରୋଧ । କଣ ଆପଣ କୋଲକାତାକୁ ଏକ ସିଧା ବିମାନ ଉଡାଣ କରି ପାରିବେ ? ବ୍ରିଟିଶ ଏୟାରୱେଜ ପୂର୍ବେ ଏହି ଉଡାଣ ସଞ୍ଚାଳିତ କରୁଥିଲା ମାତ୍ର ଆମ ଦଳ କ୍ଷମତାକୁ ଆସିବା ପୂର୍ବରୁ ଏହାକୁ ବନ୍ଦ କରି ଦିଆଗଲା । କେଉଁ କାରଣ ପାଇଁ ଉଡାଣ ବନ୍ଦ କରାଗଲା ମୁଁ ଜାଣି ପାରୁନି । କିନ୍ତୁ ଏବେ କୋଲକାତାରୁ ଲଣ୍ଡନ ବିମାନ ଉଡାଣ ଜରୁରୀ ହୋଇ ପଡିଛି । ଯେଉଁ ଏୟାରଲାଇନ କମ୍ପାନି ଆମ ସହ ଯୋଗାଯୋଗ କରିବ ଆମେ ତାଙ୍କୁ ଫୁଏଲ ଟ୍ୟାକ୍ସର ରିହାତି ଦେବୁ ।
ସୂଚନାଯୋଗ୍ୟ, ବ୍ରିଟିଶ ଏୟାରୱେଜ ପ୍ରାୟ ୮୦ ବର୍ଷ ପର୍ଯ୍ୟନ୍ତ ସଞ୍ଚାଳନ କରିବା ପରେ ୨୦୦୯ ମାର୍ଚ୍ଚରେ କୋଲକାତାରୁ ଲଣ୍ଡନ ଉଡାଣ ବନ୍ଦ କରିଥିଲା । ଏୟାର ଇଣ୍ଡିଆ ମଧ୍ୟ ୨୦୦୫ରେ କୋଲକାତା ଓ ଲଣ୍ଡନ ମଧ୍ୟରେ ସିଧା ସଳଖ ବିମାନ ସେବା ଆରମ୍ଭ କରିଥିଲା । ମାତ୍ର ଖରାପ ଲୋଡିଂ କାରଣରୁ ୨୦୦୮ରେ ସେବା ବନ୍ଦ କରି ଦିଆଗଲା ।