ଆସନ୍ତାକାଲି ୧୮ତମ ଲୋକସଭାର ପ୍ରାରମ୍ଭିକ ସଂସଦ ଅଧିବେଶନ ଆରମ୍ଭ। ଏହି ଅଧିବେଶନରେ ସରକାର ନୂତନ ଲୋକସଭା ବାଚସ୍ପତି ନିର୍ବାଚନ, ସଦସ୍ୟଙ୍କ ଶପଥ ଗ୍ରହଣ, ରାଷ୍ଟ୍ରପତିଙ୍କ ଉଭୟ ସଂସଦକୁ ମିଳିତ ସମ୍ବୋଧନ ଏବଂ ଏହା ଉପରେ ଧନ୍ୟବାଦ ଆଲୋଚନା କରିବେ। ତେବେ ଏହି ଅଧିବେଶନରେ ସଂସଦର ଦୁଇ ଗୃହରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ହେଲେ ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡିତ ପ୍ରସଙ୍ଗରେ ସରକାରଙ୍କ ସହ କୌଣସି ସାଲିସ୍ କରାଯିବ ନାହିଁ ବୋଲି ବିରୋଧୀ ପକ୍ଷରୁ କୁହାଯାଇଛି।
ସୂଚନା ମୁତାବକ, ପ୍ରୋଟେମ୍ ସ୍ପିକର ବା ଅସ୍ଥାୟୀ ବାଚସ୍ପତିଙ୍କ ନିଯୁକ୍ତିକୁ ନେଇ ପୂର୍ବରୁ ମଧ୍ୟ ବିବାଦ ଆରମ୍ଭ ହୋଇ ସାରିଛି। ତେବେ ଏହି ଅଧିବେଶନରେ ଗୃହରେ ସବୁଠାରୁ ବଡ ପ୍ରସଙ୍ଗ ଭାବେ ଏନଇଇଟି ପରୀକ୍ଷା ଅନିୟମିତତା ନେଇ ଆଲୋଚନା ହୋଇପାରେ। ତେବେ ସମସ୍ତ ଆଲୋଚନା ପରେ ଏହି ଅଧିବେଶନରେ ପ୍ରୋଟେମ୍ ବାଚସ୍ପତି ୨୪ ଓ ୨୫ ଜୁନ୍ରେ ଲୋକସଭାର ସମସ୍ତ ନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ। ଲୋକସଭା ବାଚସ୍ପତିଙ୍କ ନିର୍ବାଚନ ୨୬ ଜୁନ୍ରେ ଅନୁଷ୍ଠିତ ହେବ। ଏଥର ଲୋକସଭାକୁ ବାଚସ୍ପତିଙ୍କ ସହ ଉପବାଚସ୍ପତି ମଧ୍ୟ ମିଳିବ। ୧୭ ତମ ଲୋକସଭାରେ କୌଣସି ଉପବାଚସ୍ପତି ନଥିଲେ। ତେବେ ଆଲୋଚନା ହେଉଛି ଯେ ଏଥର ବିରୋଧୀ ଦଳ ମଧ୍ୟରୁ କେହି ଜଣେ ଏହି ପଦ ପାଇପାରନ୍ତି। ଏହାପରେ ଜୁନ୍ ୨୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଭାବେ ଉଭୟ ଗୃହକୁ ସମ୍ବୋଧିତ କରିବେ ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୧୦ ବର୍ଷର ସଫଳତା ବିଷୟରେ ଉଲ୍ଲେଖ କରିବା ସହିତ ଆସନ୍ତା ପାଞ୍ଚ ବର୍ଷ ପାଇଁ ସରକାରଙ୍କ ପ୍ରାଥମିକତା ବିଷୟରେ ମଧ୍ୟ ଆଲୋଚନା କରିବେ।