ମୁୁମ୍ବାଇ: ସଙ୍ଗୀତ ଜଗତ ପାଇଁ ବଡ ଝଟକା । ନିଜର ସୁମଧୁର ସ୍ୱରରେ ଶ୍ରୋତାଙ୍କ ମନ ମହୁଥିବା ଏବଂ ଶାସ୍ତ୍ରୀୟ ସଙ୍ଗୀତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କ ପରଲୋକ ଘଟିଛି । ୯୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ପ୍ରଖ୍ୟାତ ଗାୟିକା । ହୃଦଘାତ ଓ ଫୁସଫୁସ ସଂକ୍ରମଣ କାରଣରୁ ଶନିବାର ତାଙ୍କୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରବିବାର ସକାଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା । ଆଉ ଦୁନିଆକୁ ଅଲବିଦା କରି ଚାଲିଗଲେ ସ୍ୱରର ସାଗର ଆଶା ଭୋସଲେ । ତାଙ୍କ ବିୟୋଗରେ ବଲିଉଡ ଓ ସଙ୍ଗୀତ ଜଗତରେ ଶୋକର ମାହୋଲ ଖେଳି ଯାଇଛି । ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ନିଧନରେ ଶୋକ ବ୍ୟକ୍ତ କରୁଛନ୍ତି ।
ଆଶା ଭୋସଲେଙ୍କୁ ଦାଦା ସାହେବ ଫାଲକେ ଓ ଦେଶର ଦ୍ୱିତୀୟ ସବୁଠୁ ବଡ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କ ନାତୁଣୀ ଜନାଇ ଭୋସଲେ ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜେଜେ ମାଆ ଆଶା ଭୋସଲେ ଅଧିକ ଦୁର୍ବଳ ହେବା କାରଣରୁ ଛାତିରେ ସଂକ୍ରମଣଜନିତ ସମସ୍ୟା ଦେଇ ଗତି କରୁଥିଲେ । ଶନିବାର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
୧୨ ହଜାରରୁ ଅଧିକ ଗୀତ ଗାଇଛନ୍ତି ଭୋସଲେ
ଭୋସଲେ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ଛୋଟ ଭଉଣୀ । ସେ ବିଭିନ୍ନ ଭାରତୀୟ ଭାଷାରେ ୧୨ ହଜାରୁ ଉର୍ଦ୍ଧ୍ୱ ଗୀତ ଗାଇଛନ୍ତି । ପଦ୍ମିନୀ ଏବଂ ବୈଜୟନ୍ତୀମାଲାଙ୍କ ପରି ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କଠୁ ନେଇ ମୀନା କୁମାରୀ, ମଧୁବାଲା, ଜୀତନ ଅମାନ, କାଜଲ, ମାଧୁରୀ ଦୀକ୍ଷିତ ସହିତ ଅନେକ ପ୍ରମୁଖ ଅଭିନେତ୍ରୀଙ୍କୁ ସ୍ୱର ଦେଇଛନ୍ତି ଆଶା ଭୋସଲେ ।
ଭୋସଲେଙ୍କ କିଛି ଲୋକପ୍ରିୟ ଗୀତ ମଧ୍ୟରେ ଚୁରା ଲିୟା ହେ ତୁମନେ ଜୋ ଦିଲକୋ, ଅଭି ନା ଯାଓ ଛୋଡକର, ଇନ୍ତହା ହୋ ଗଇ ଇନ୍ତଜାର କି ଆଦି ସାମିଲ । ସେ ୨୦୨୩ରେ ନିଜର ଜନ୍ମଦିନ ଉପଲକ୍ଷେ ଦୁବାଇରେ ଆୟୋଜିତ ଏକ ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମ ଆଶା ୯୦: ଲାଇଭ କନସର୍ଟରେ ପରିବେଷଣ କରିଥିଲେ ।
ଗ୍ରାମୀ ଆୱାର୍ଡ ପାଇଁ ମନୋନୀତ ହେବାରେ ପ୍ରଥମ ଭାରତୀୟ ସିଙ୍ଗର
ଆଶା ଭୋସଲେ ଏମିତି ପ୍ରଥମ ଭାରତୀୟ ଗାୟିକା ଯିଏ ଗ୍ରାମୀ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ । ସେ ୨୦ରୁ ଅଧିକ ଭାଷାରେ ଗୀତକୁ ନିଜର ସ୍ୱର ଦେଇଛନ୍ତି । ଗାୟକ କୈଳାସ ଖେର ଓ ଅଦନାନ ସାମି ତାଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି । ସାୟରା ବାନୋ କହିଛନ୍ତି, ସେହି ଲୋକଙ୍କ ସୌଭାଗ୍ୟ ଥିଲା ଯିଏ ଆଶା ଭୋସଲେଙ୍କ ସହ ଜଡିତ ଥିଲେ ।