ଖବର ଓଡିଶା : 10/03/2023:
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ପାଇଁ ବଢିଛି ଅଡୁଆ। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଇଡି ୧୫ଟି ସ୍ଥାନରେ ଚଢାଉ କରିଛି । ଆରଜେଡି ନେତା ଅବୁ ଦୋଜାନାଙ୍କ ଫୁଲବାରୀ ସରିଫ ସ୍ଥିତ ବାସଭବନରେ ଚଢାଉ କରାଯାଉଛି । ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଦିଲ୍ଲୀର ଫ୍ରେଣ୍ଡସ କଲୋନୀରେ ଅବସ୍ଥିତ ବାସଭବନରେ ମଧ୍ୟ ଚଢାଉ କରାଯାଉଛି । ସମାନ ମାମଲାରେ କିଛିଦିନ ତଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଓ ରାବଡୀ ଯାଦବଙ୍କୁ ସିବିଆଇ ଜେରା କରିଥିଲା । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ଏବେ ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ପୁରାପୁରି ଛନ୍ଦି ହୋଇଯାଇଛନ୍ତି । ମନି ଲଣ୍ଡରିଂ ମାମଲାରେ ପାଟନା, ଦିଲ୍ଲୀ-ଏନସିଆର, ରାଞ୍ଚି ଓ ମୁମ୍ବାଇରେ ଥିବା ୧୫ଟି ସ୍ଥାନରେ ଚଢ଼ଉ କରିଛନ୍ତି। ତେଜସ୍ୱୀଙ୍କ ବ୍ୟତୀତ ଲାଲୁଙ୍କ ଝିଅ ରାଗିଣୀ ଯାଦବ, ଚନ୍ଦା ଯାଦବ ଓ ହେମା ଯାଦବଙ୍କ ଘରେ ମଧ୍ୟ ଛାନଭିନ ହୋଇଛି। ଏହାବାଦ ଆରଜେଡିର ପୂର୍ବତନ ବିଧାୟକ ଅବୁ ଦୋଜାନ ଘରେ ମଧ୍ୟ ସର୍ଚ୍ଚ ଅପରେସନ କରାଯାଇଛି। ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନସିଂଙ୍କ ଅଭିଯୋଗ ଆଧାରରେ ଏହି ମାମଲାର ଯାଞ୍ଚ ଚାଲିଛି । ସେପଟେ ଏହି ମାମଲାରେ ଲାଲୁ ଯାଦବଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି କି, ରାଜନୈତିକ ଷଡଯନ୍ତ୍ର ଆଧାରରେ ପୁଣିଥରେ ଚାକିରି ବଦଳରେ ଜମି ଦୁର୍ନୀତି ମାମଲା ଉଠା ଯାଇଛି । ପ୍ରଥମରୁ ସିବିଆଇ ଏହି ମାମଲାରେ ୨ଥର ଯାଂଚ କରିସାରିଛି । ହେଲେ ସିବିଆଇକୁ କୌଣସି ପ୍ରମାଣ ମିଳିନଥିବା କଥା ଲାଲୁଙ୍କ ପରିବାର ପକ୍ଷରୁ କୁହାଯାଇଛି । ମାର୍ଚ୍ଚ ୭ରେ ପୂର୍ବତନ ରେଳମନ୍ତ୍ରୀ ଲାଲୁଙ୍କୁ ସିବିଆଇ ୫ ଘଣ୍ଟା ଧରି ପାଣ୍ଡରା ରୋଡରେ ଥିବା ଝିଅ ମିଶା ଭାରତୀଙ୍କ ଘରେ ପ୍ରାୟ ୫ ଘଣ୍ଟା ଧରି ଜେରା କରିଥିଲା। କିଡ୍ନୀ ପ୍ରତିରୋପଣ ପରେ ଲାଲୁ ସେହିଠାରେ ହିଁ ରହୁଛନ୍ତି। ଏହାର ଦିନକ ପୂର୍ବରୁ ସିବିଆଇ ପାଟନା ସ୍ଥିତ ରାବିଡି ଦେବୀଙ୍କ ଘରେ ପହଞ୍ଚି ତାଙ୍କୁ ଜେରା କରିଥିଲା।