ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗସ୍ତରେ ଉତ୍ତରପ୍ରଦେଶ ଯାଇ କଳା ଐତିହ୍ୟ, ସ୍ବାସ୍ଥ୍ୟ, ଶିକ୍ଷା, ପରିବହନ, କ୍ରୀଡା ଭଳି ଅନେକ କ୍ଷେତ୍ରରେ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଅବସରରେ ବନାରସ ହିନ୍ଦୁ ୟୁନିଭର୍ସିଟି (BHU)ର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଛନ୍ତି ଯେ, କାଶୀ କଳା ଐତିହ୍ୟ ଓ ବିକାଶର ମଡେଲ ପାଲଟିଛି ।
ମୋଦି ଉତ୍ତରପ୍ରଦେଶରେ ପହଂଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ସିଂ ଚୌଧୁରୀ ଭବ୍ୟ ସ୍ବାଗତ କରିଥିଲେ। ତେବେ ସେ ଶୁକ୍ରବାର ଦିନ ସନ୍ଥ ରବିଦାସଙ୍କ ୬୪୭ ଜୟନ୍ତୀ ଅବସରରେ ଏକ ବିଶାଳ ପ୍ରତିମୂର୍ତ୍ତିର ଲୋକାର୍ପଣ କରିଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦,୯୭୨ କୋଟି ମୂଲ୍ୟର ପ୍ରାୟ ୨୩ଟି ଯୋଜନା ଲଞ୍ଚ କରିବାକୁ ଥିବା ବେଳେ ୨୧୯୫.୦୭ କୋଟି ମୂଲ୍ୟର ୧୨ଟି ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସୂଚନା ମିଳିଛି।
ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶସ୍ଥିତ ବନାରସ ହିନ୍ଦୁ ୟୁନିଭର୍ସିଟି (BHU)ର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, "ଆସନ୍ତା ୫ ବର୍ଷ ମଧ୍ୟରେ ଦେଶ ବିକାଶର ମଡେଲ ପାଲଟିବ । ଆଉ ଏହା ହେଉଛି ମୋଦି ଗ୍ୟାରେଣ୍ଟି । ବର୍ତ୍ତମାନ କାଶୀ ଐତିହ୍ୟ ଓ ବିକାଶର ମଡେଲ ପାଲଟିଛି । ଏଠାରେ ଭାରତର ସମୃଦ୍ଧ କଳା ସଂସ୍କୃତି ସାରା ବିଶ୍ବରେ ପହଞ୍ଚିପାରିଛି ।" ଏହି କାର୍ଯ୍ୟକ୍ରମ ଅବସରରେ ମୋଦି କାଶୀ ସଂସଦ ସଂସ୍କୃତ ପ୍ରତିଯୋଗିତା, କାଶୀ ସଂସଦ ଜ୍ଞାନ ପ୍ରତିଯୋଗିତା ଓ କାଶୀ ସଂସଦ ଫଟୋଗ୍ରାଫି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସହ ସେମାନଙ୍କ ପିତାମାତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
BHUର ଏହି କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ସନ୍ଥ ଗୁରୁ ରବିଦାସଙ୍କ ୬୪୭ ଜୟନ୍ତୀ ଅବସରରେ ଏକ ପ୍ରତିମୂର୍ତ୍ତି ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ତେବେ ପ୍ରତିମୂର୍ତ୍ତି ଲୋକାର୍ପିତ କରିବା ସମୟରେ ମୋଦି କହିଥିଲେ ଯେ,"ରବିଦାସଜୀ ମୋତେ ବାରମ୍ବାର ତାଙ୍କ ଜନ୍ମଭୂମିକୁ ଆସିବା ପାଇଁ ସୁଯୋଗ ଦେଉଛନ୍ତି । ତାଙ୍କ ବିଚାରଧାରାକୁ ଆଗକୁ ବଢାଇବା ଲାଗି ମୋତେ ସୁଯୋଗ ମିଳିଛି । ଗୁରୁଙ୍କ ଜନ୍ମତୀର୍ଥରେ ତାଙ୍କର ସମସ୍ତ ଅନୁଗାମୀଙ୍କୁ ସେବା କରିବା ମୋ ପାଇଁ କୌଣସି ସୌଭାଗ୍ୟଠୁ କମ ନୁହେଁ ।"
ଅଧିକ ପଢନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ୪ ଗାଡି