ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିର ଦୃଶ୍ୟପଟ୍ଟରେ ହୋଇପାରେ ପରିବର୍ତ୍ତନ । ମୁଦା ମାମଲାକୁ ନେଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଆସନ ବିପଦରେ । ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ହାଇକମାଣ୍ଡ ଏହି ପ୍ରସଙ୍ଗକୁ ନେଇ ସକ୍ରିୟ ହୋଇ ଉଠିଛି । ରାଜ୍ୟର କିଛି ନେତା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରୁଛନ୍ତି ।
ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, କଂଗ୍ରେସ ହାଇକମାଣ୍ଡ ବିବାଦରୁ ବର୍ତ୍ତିବା ପାଇଁ ସର୍ବସମ୍ମତିକ୍ରମେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିବା ପାଇଁ ଯୋଜନା କରୁଛନ୍ତି । ବିରୋଧୀ ଦଳ ମଧ୍ୟ କଂଗ୍ରେସ ମୁଖ୍ୟମନ୍ତ୍ରୀ ବଦଳାଉ ବୋଲି ଚାପ ପକାଇ ଚାଲିଛନ୍ତି । ତେବେ ପାର୍ଟି ଅଦ୍ୟାବଧି ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେଇ ନାହିଁ ଯେ, ସିଦ୍ଧରମୈୟାଙ୍କ ସ୍ଥାନରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଉ । କାରଣ ସେ ପଛୁଆ ବର୍ଗର ନେତା ।
ଋିପୋର୍ଟ ଅନୁସାରେ ସିଦ୍ଧରମୈୟାଙ୍କ ସ୍ଥାନରେ ଶିବକୁମାରଙ୍କ ନାମ ଆଗରେ ରହିଛି । ଅନ୍ୟପଟେ ହାଇକମାଣ୍ଡ ପଛୁଆ ବର୍ଗକୁ ନିଜ ସପକ୍ଷକୁ ଟାଣିବା ପାଇଁ ପଛୁଆ ବର୍ଗରୁ ମୁଖ୍ୟମନ୍ତ୍ରୀ କରିବା ବିକଳ୍ପ ଉପରେ ବିଚାର କରୁଛି । ପାର୍ଟି ନେତାଙ୍କ ଏକ ଗୋଷ୍ଠୀ ମଲ୍ଲିକାର୍ଜୁନ ଖଡଗେଙ୍କ ସପକ୍ଷରେ ମତ ବାଢିଛନ୍ତି । ଅନ୍ୟ ଏକ ଗୋଷ୍ଠୀ ପିଡବ୍ଲ୍ୟୁଡି ମନ୍ତ୍ରୀ ସତୀଶ ଜରକିହୋଲିଙ୍କ ପରି ଲୋକପ୍ରିୟ ନେତାଙ୍କୁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି । ତେବେ ପାର୍ଟି ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।
ଋବିବାର ବରିଷ୍ଠ ନେତାଙ୍କୁ ଭେଟିବା ପାଇଁ ଜରକିହୋଲି ରବିବାର ନୂଆଦିଲ୍ଲୀ ଯାଇଥିଲେ । ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଯେ, ପାର୍ଟି ତାଙ୍କୁ ସୁଯୋଗ ଦେବାକୁ ମନସ୍ଥ କରିଛି । କୁହାଯାଉଛି ତାଙ୍କ ପାଖରେ ୩୦ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି, ଯେଉଁଥିରେ ୧୫ ଜଣ ଅନୁସୂଚିତ ଜନଜାତି ସମୁଦାୟର । ତାଙ୍କ ପରିବାରରେ ତିନି ଜଣ ବିଧାୟକ, ଜଣେ ଏମଏଲସି ଏବଂ ଜଣେ ସାଂସଦ ଅଛନ୍ତି ।