ଶ୍ରୀନଗର: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଖୁସି ଖବର। ଯଦି ସବୁକିଛି ଠିକ୍ ଠାକ୍ ଚାଲିଥାଏ ତେବେ ଖୁବ୍ ଶୀଘ୍ର ଏଠାରେ ନିର୍ବାଚନ ହୋଇପାରେ। ଯଦିଓ ନିର୍ବାଚନ କମିଶନଙ୍କ ଆକଳନରୁ ଜଣାପଡିଛି ଯେ ବର୍ତ୍ତମାନର ସୁରକ୍ଷା ପରିସ୍ଥିତିରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ କରିବା ଅତ୍ୟନ୍ତ ଚ୍ୟାଲେଞ୍ଜିଂ କାର୍ଯ୍ୟ, କିନ୍ତୁ ନିର୍ବାଚନ ଆୟୋଗ ବିଭିନ୍ନ ସମୟରେ ନିର୍ବାଚନ କରିବାର ବିକଳ୍ପ ଉପରେ ବିଚାର କରୁଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉତ୍ତର କଶ୍ମୀରରେ ପ୍ରଥମେ ନିର୍ବାଚନ ହୋଇପାରେ। ଏହାପରେ ଉତ୍ତର ଓ ଦକ୍ଷିଣ କାଶ୍ମୀର, ତା'ପରେ କେନ୍ଦ୍ରୀୟ କଶ୍ମୀର ଓ ଜମ୍ମୁରେ ମତଦାନ ପ୍ରକ୍ରିୟା ଶେଷ ହୋଇପାରିବ। ରିପୋର୍ଟ ଅନୁସାରେ ଗତ ସପ୍ତାହରେ ଜମ୍ମୁ-କଶ୍ମୀର ପ୍ରଶାସନ ଏବଂ ସୁରକ୍ଷା ବିଭାଗ ନିର୍ବାଚନ କମିଶନଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିଲେ। ଏଠାରେ ନିର୍ବାଚନ ପାଇଁ କ'ଣ ବିକଳ୍ପ ହୋଇପାରେ ତାହା କୁହାଯାଇଛି।
ଏହି ରିପୋର୍ଟ ଅନୁଯାୟୀ ଜମ୍ମୁ-କଶ୍ମୀରରେ ୪-୫ଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ। ଏହାବ୍ୟତୀତ ନିର୍ବାଚନ ଆୟୋଗ ମୁଖ୍ୟ ରାଜୀବ କୁମାରଙ୍କ ନେତୃତ୍ୱରେ ସମଗ୍ର ଆୟୋଗ ଅଗଷ୍ଟ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଶ୍ରୀନଗର ଓ ଜାମ୍ମୁ ଗସ୍ତ କରି ନିର୍ବାଚନ ପ୍ରସ୍ତୁତି କରିଛନ୍ତି। ଜମ୍ମୁ-କଶ୍ମୀରରେ ଶେଷ ଥର ପାଇଁ ୨୦୧୪ରେ ୫ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହୋଇଥିଲା।
ଚଳିତ ସପ୍ତାହ ଶେଷ ସୁଦ୍ଧା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହ ନିର୍ବାଚନ ଆୟୋଗ ବୈଠକ କରିବେ। ଏଥିରେ ସୁରକ୍ଷାର ସମୀକ୍ଷା କରାଯିବା ପରେ ଜମ୍ମୁ-କଶ୍ମୀରରେ ନିର୍ବାଚନ ତାରିଖକୁ ନେଇ ନିର୍ବାଚନ ଆୟୋଗ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ସେପ୍ଟେମ୍ବର ସୁଦ୍ଧା ଏଠାରେ ନିର୍ବାଚନ କରିବାକୁ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ ଅନେକ ରାଜନୈତିକ ଦଳ ଯଥାଶୀଘ୍ର ନିର୍ବାଚନ ଦାବି କରୁଛନ୍ତି।
ନିର୍ବାଚନ ଆୟୋଗଙ୍କ କହିବା ଅନୁଯାୟୀ, ଉତ୍ତର କଶ୍ମୀରର ଜିଲ୍ଲାଗୁଡ଼ିକରେ ଅନେକ ଚ୍ୟାଲେଞ୍ଜ ରହିଛି। ଏଠାକାର ଅନେକ ଅଞ୍ଚଳ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ। ଉତ୍ତର କାଶ୍ମୀରର ଅନନ୍ତନାଗ, ବାରାମୁଲା, ବଡଗାମ, ବାନ୍ଦିପୁର, ଗଣ୍ଡରବାଲ, କୁପଓ୍ଵାରା, କୁଲଗାମ, ପୁଲୱାମା, ଶୋପିଆ ଏବଂ ଶ୍ରୀନଗର ଜିଲ୍ଲାକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଥିବା ବେଳେ ଦକ୍ଷିଣ କାଶ୍ମୀରର କଠୁଆ, ସାମ୍ବା, ରିଆସି, ଜମ୍ମୁ, ଉଧମପୁର ଭଳି ଜିଲ୍ଲାକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି।