ନୂଆଦିଲ୍ଲୀ: ଆଠ ମାସ ପରେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇଛି। ଇସ୍ରାଏଲ ସହିତ ମିଶି ଆମେରିକା ଇରାନ ଉପରେ ଆକ୍ରମଣ କରିଛି। ଏହାର ଜବାବରେ ଇରାନ ଇସ୍ରାଏଲ ସମେତ ସାତଟି ଆମେରିକୀୟ ସହଯୋଗୀ ଦେଶ ଉପରେ ଆକ୍ରମଣ କରିଛି। ଇରାନ ମଧ୍ୟ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛି। ଏହି ଯୁଦ୍ଧ ଏବେ ଭୟଙ୍କର ରୂପ ନେଉଛି।
ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧକୁ ଏବେ ସୁଦ୍ଧା ୮ଟି ଦେଶ ଟାଣି ହୋଇ ଗଲେଣି। ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସୈନ୍ୟ ଆଡ୍ଡା ଉପରେ ଇରାନ ମିସାଇଲ୍ ମାଡ଼ କରିଛି। ଲେବାନନ ଓ ହୁତି ଭଳି ଦେଶ ମଧ୍ୟ ଇରାନକୁ ସମର୍ଥନ କରି ଆକ୍ରମଣ କରିଛନ୍ତି। କିନ୍ତୁ ଏବେଠୁ କଳ୍ପନା କରିବା ମୁସ୍କିଲ୍ ଯେ ଏହି ଆକ୍ରମଣ କେତେ ଶାଣିତ ଏବଂ ଭୟାନକ ହେବ? ଯାହାକୁ ନେଇ ସେୟାର ବଜାରରେ ନିବେଶ କରୁଥିବା ଲୋକ ବି ଡରିଲେଣି। ଆସନ୍ତୁ ଜାଣିବା ଯୁଦ୍ଧରେ ଭାରତର କେଉଁ କେଉଁ କ୍ଷେତ୍ର ହେବ ପ୍ରଭାବିତ....
ବଢ଼ିଯିବ ଅଶୋଧିତ ତୈଳ ଦାମ
ଇରାନ ଯୁଦ୍ଧକୁ ନେଇ ଭାରତ ସମେତ ଦୁନିଆ ବ୍ୟାପି ନିବେଶକ ଡରରେ ଅଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ, "ଏହି ଯୁଦ୍ଧ ଫଳରେ ଅଶୋଧିତ ତୈଳ ଦାମ ବେଶ୍ ବଢ଼ିଯିବ। ଯାହାକି ଦରବୃଦ୍ଧିକୁ ଆହୁରି ବଢ଼ାଇବ। ଭାରତ ସହ ଏକାଧିକ ଦେଶ ଅଶୋଧିତ ତୈଳ ଆମଦାନୀ କରନ୍ତି। ଯୁଦ୍ଧ ଦ୍ଵାରା ମଧ୍ୟପ୍ରାଚ୍ୟରେ ପରିବହନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଫଳରେ ଅଶୋଧିତ ତୈଳ ଦର ବଢ଼ିବ।"
ବଢିବ ସୁନା ଓ ରୁପାର ଦର
ଯେବେ ଯେବେ ଦୁନିଆରେ ଯୁଦ୍ଧ କିମ୍ବା ଯୁଦ୍ଧ ସ୍ଥିତି ସୃଷ୍ଟି ହୁଏ, ସେତେବେଳେ ସୁନା-ରୁପା ଓ ତମ୍ବା ଭଳି ଧାତୁର ଦାମ ବଢ଼ିଯାଏ । ଏହି କ୍ରମଣରେ ଇରାନ ଯୁଦ୍ଧ ପାଇଁ ସୁନା ଓ ରୁପା ଦରରେ ବଡ଼ ବୃଦ୍ଧି ଆଶଙ୍କା କରାଯାଉଛି । ଶୁକ୍ରବାର କମୋଡିଟି ମାର୍କେଟ୍ରେ ୧୦ ଗ୍ରାମ ସୁନା ପ୍ରତି ଦର ୧ ଲକ୍ଷ ୬୧ ହଜାର ୯୭୧ ଟଙ୍କା ରହିଥିବା ବେଳେ ରୁପା କେଜି ୨ ଲକ୍ଷ ୭୪ ହଜାର ୩୮୯ ଟଙ୍କା ରହିଛି ।
ଖସିପାରେ ସେୟାର୍ ବଜାର
ଯୁଦ୍ଧ ଏତେ ଭୀଷଣ ହେଲାଣି ଯେ ବିଶେଷଜ୍ଞ କହୁଛନ୍ତି, "ସୋମବାର ଭାରତ ସମେତ ଦୁନିଆବ୍ୟାପି ଅନ୍ୟ ଦେଶର ସେୟାର ବଜାର ଖସିବ। ତେବେ ସେୟାର ବଜାର କେତେ ଖସିବ ତାହା ନିବେଶକଙ୍କ ମାନସିକତା ଓ ବିକ୍ରିବଟା ଉପରେ ନିର୍ଭର କରେ। ଶୁକ୍ରବାର ଇରାନ ଯୁଦ୍ଧ ପୂର୍ବରୁ ଭାରତୀୟ ସେୟାର ବଜାରର ଏହାର ସଂକେତ ଦେଖିବାକୁ ମିଳିଛି। ସେନସେକ୍ସ ୯୬୧ ପଏଣ୍ଟ ଖସିଥିବା ବେଳେ ନିପ୍ଟି ୩୧୭ ପଏଣ୍ଟ ଖସି କାରବାର ବନ୍ଦ ରହିଛି।"
ଅଧିକ ପଢନ୍ତୁ: ଇରାନ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ; ତେହେରାନ ସମେତ ଅନେକ ସହରରେ ବିସ୍ଫୋରଣ, ଦେଶ ଛାଡିଲେ ଖାମେନେଇ
ଭାରତ ଇରାନରୁ କ’ଣ ଆମଦାନୀ କରେ?
ଇରାନରୁ ଭାରତର ସର୍ବାଧିକ ଆମଦାନୀ ହେଉଛି ଅଶୋଧିତ ତେଲ। ଭାରତ ଇରାନରୁ ପିସ୍ତା ଏବଂ ଖଜୁର ଭଳି ଶୁଖିଲା ଫଳ, କିଛି ରାସାୟନିକ ପଦାର୍ଥ, ପେଟ୍ରୋକେମିକାଲ ଉତ୍ପାଦ ଏବଂ କାଚପାତ୍ର ମଧ୍ୟ ଆମଦାନୀ କରେ। ୧୯୪୭ ମସିହାର ବିଭାଜନ ପୂର୍ୱରୁ, ଭାରତ ଏବଂ ଇରାନ ଭୌଗୋଳିକ ଦୃଷ୍ଟିରୁ ନିକଟତର ଥିଲେ। ପାକିସ୍ତାନ ସୃଷ୍ଟି ହେବା ପରେ ସିଧାସଳଖ ସ୍ଥଳଭାଗ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା, କିନ୍ତୁ ୧୯୫୦ ମସିହାରେ ସେମାନେ ଆନୁଷ୍ଠାନିକ କୂଟନୈତିକ ସମ୍ପର୍କ ସ୍ଥାପନ କରିଥିଲେ। ୧୯୭୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଇରାନ ଗସ୍ତ ପରେ ଦ୍ୱିପାକ୍ଷିକ ବାଣିଜ୍ୟ ନୂତନ ଗତି ପାଇଥିଲା।
ଦୁଇ ଦେଶ ଟଙ୍କା ଏବଂ ରିଆଲରେ ବାଣିଜ୍ୟ କରୁଥିଲେ
ଯେତେବେଳେ ଭାରତ-ଆମେରିକା ପରମାଣୁ ଚୁକ୍ତି ଉପରେ ଆଲୋଚନା ଆରମ୍ଭ ହୋଇଥିଲା ଏବଂ ଆମେରିକା ଇରାନ ଉପରେ ପ୍ରତିବନ୍ଧକ ଲଗାଇଥିଲା, ସେତେବେଳେ ଦୁଇ ଦେଶ ମଧ୍ୟରେ କିଛି ଦୂରତା ଥିଲା। ଏହା ସତ୍ତ୍ୱେ, ପାରସ୍ପରିକ ସମ୍ପର୍କ କେବେ ବି ବନ୍ଦ ହୋଇନଥିଲା। ଦୁଇ ଦେଶ ଡଲାର ପରିବର୍ତ୍ତେ ଟଙ୍କା ଏବଂ ରିଆଲରେ ମଧ୍ୟ ବାଣିଜ୍ୟ କରୁଥିଲେ। ଆଜି, ଶକ୍ତି ସୁରକ୍ଷା, ଔଷଧ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଖଣି ଭଳି ଅନେକ ପ୍ରମୁଖ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବାରେ ଲାଗିଛି।
ଚାବାହାର ବନ୍ଦର ମାଷ୍ଟରଷ୍ଟ୍ରୋକ
ବାଣିଜ୍ୟକୁ ସୁଗମ କରିବା ପାଇଁ, ଭାରତ ଇରାନର ଚାବାହାର ବନ୍ଦରରେ ବହୁ ପରିମାଣରେ ନିବେଶ କରୁଛି। ଏହି ପ୍ରକଳ୍ପ ମଧ୍ୟ ଏସିଆ ଏବଂ ଆଫଗାନିସ୍ତାନକୁ ସାମଗ୍ରୀ ପରିବହନ ପାଇଁ ଏକ ପ୍ରମୁଖ କୂଟନୈତିକ ପଥ। ଯଦିଓ ଦୁଇ ଦେଶ ମଧ୍ୟରେ କୌଣସି ଆନୁଷ୍ଠାନିକ ସାମରିକ ମେଣ୍ଟ ନାହିଁ, ସେମାନେ ଆତଙ୍କବାଦକୁ ମୁକାବିଲା କରିବା ଏବଂ ନିୟମିତ ଭାବରେ ଗୁପ୍ତ ସୂଚନା ଆଦାନପ୍ରଦାନ କରିବା ଉପରେ ସ୍ପଷ୍ଟ ଦୃଷ୍ଟିକୋଣ ବାଣ୍ଟିଥାନ୍ତି।
ଦୁଇ ଦେଶ ମଧ୍ୟରେ ଐତିହାସିକ ସମ୍ପର୍କ
ଆନ୍ତର୍ଜାତୀୟ କୂଟନୀତିର ଜଟିଳତା ବାହାରେ, ଏହି ଦୁଇ ଦେଶର ପ୍ରକୃତ ଶକ୍ତି ସେମାନଙ୍କର ଐତିହାସିକ ସମ୍ପର୍କ ମଧ୍ୟରେ ରହିଛି। ଭାରତର ପ୍ରାଚୀନ ସାହିତ୍ୟ ଏବଂ ପ୍ରଶାସନିକ ଅଭ୍ୟାସ ଉପରେ ପାର୍ସୀ ଭାଷାର ଗଭୀର ପ୍ରଭାବ ରହିଛି। ଭାରତୀୟ ଉପମହାଦେଶରେ ସୁଫିବାଦର ପ୍ରସାର ପାଇଁ ଇରାନ ମୁଖ୍ୟତଃ ଦାୟୀ। ଇତିହାସ ସାକ୍ଷୀ ଅଛି ଯେ ଅନେକ ମହାନ ସୁଫି ସନ୍ଥ ଇରାନରୁ ଭାରତ ଯାତ୍ରା କରିଥିଲେ।
ଅଧିକ ପଢନ୍ତୁ: ଯୁଦ୍ଧ ଭିତରେ ଇସ୍ରାଏଲରେ ଥିବା ଭାରତୀୟଙ୍କ ପାଇଁ ଜାରି ହେଲା ଆଡଭାଇଜରୀ; ସତର୍କ ରଖିବାକୁ ପରାମର୍ଶ ଦେଲା ଦୂତାବାସ