ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର କାକିନାଡ଼ା ଜିଲ୍ଲାରେ ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଚି । ଆହୁରି ଏକାଧିକ ଗୁରୁତର ଆହତ ହୋଇଛନ୍ତି ।
କାକିନାଡ଼ା ଜିଲ୍ଲାର ସମର୍ଲାକୋଟା ମଣ୍ଡଳ ବ୍ଲକ୍ ଅଧିନସ୍ଥ ବେଟ୍ଲାପଲେସ ଗ୍ରାମର ଏକ ଚାଷ ଜମି ଭିତରେ ସୂର୍ଯ୍ୟ ଶ୍ରୀ ଫାୟର୍ ୱାର୍କ୍ସ ନାମକ ଏକ ବାଣ ଫ୍ୟାକ୍ଟ୍ରିରେ ଶନିବାର ଅପରାହ୍ନ ୨ଟା ୪୫ ମିନିଟ୍ ରେ ବିସ୍ଫୋରଣ ହୋଇଥିଲା । ସେହି ସମୟରେ ଫ୍ୟାକ୍ଟ୍ରିରେ ପ୍ରାୟ ୨୦ ଜଣ ଶ୍ରମିକ ଉପସ୍ଥିତ ଥିଲେ । ବିସ୍ଫୋରଣରେ ଆଖପାଖ ଅଞ୍ଚଳ ଥରିଉଠିଥିଲା । ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଖିଥିଲେ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଶ୍ରମିକଙ୍କ ମଧ୍ୟରେ ଅଧିକାଂଶ ସ୍ଥାନୀୟ ମହିଳା ଥିବା ସୂଚନା ମିଳିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ମୃତ ଦେହ ଗୁଡ଼ିକ ନିକଟସ୍ଥ କ୍ଷେତରେ ବିଛୁଡ଼ି ହୋଇପଡ଼ିଥିଲା । ୧୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ଏଯାବତ୍ ୧୫ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା କାକିନାଡ଼ା ଏସପି ଜି. ବିନ୍ଦୁ ମାଧବ ସୂଚନା ଦେଇଛନ୍ତି । ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ମୃତ ଦେହକୁ ଉଦ୍ଧାର କରିବାକୁ ପୋଲିସ ଚେଷ୍ଟା ଜାରି ରଖିଛି ।
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତୁରନ୍ତ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିବାକୁ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭାବିତ ପରିବାରକୁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।