ନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ସମୟରେ ହୋଇଥିବା ପ୍ରତିବାଦ ଘଟଣାରେ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟଭାନୁ ଚିବଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । ଦିଲ୍ଲୀ ପୋଲିସ ଆବେଦନ କରିଥିବା ରିମାଣ୍ଡ ଯାଚିକାକୁ କୋର୍ଟ ଖାରଜ କରିଛନ୍ତି ।
ଉଦୟଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ସୁଲେମାନ ମହମ୍ମଦ ଖାନ କହିଛନ୍ତି ଯେ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଆବଶ୍ୟକୀୟ ପ୍ରମାଣ ଦେବାରେ ବିଫଳ ହୋଇଥିଲା । ଫଳରେ କୋର୍ଟ ରିମାଣ୍ଡ ଯାଚିକାକୁ ଖାରଜ କରିଥିଲେ । ପୋଲିସ ରିମାଣ୍ଡ ଅବଧିକୁ ଆଉ ସାତ ଦିନ ବୃଦ୍ଧି କରିବାକୁ ଆବେଦନ କରିଥିଲା । ଯାହା ଖାରଜ ହୋଇଛି । ଏହା ପରେ ସେମାନେ ଉଦୟଙ୍କ ଜାମିନ ଆବେଦନ କରିଥିଲେ । ମାଜିଷ୍ଟ୍ରେଟ୍ ଜାମିନ ମଞ୍ଜୁର କରିଛନ୍ତି । ନିଜର ପାସପୋର୍ଟ ଏବଂ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଦାଖଲ କରିବା ସହିତ ୫୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟମାନଙ୍କ ଜାମିନ ପାଇଁ ଖୁବଶୀଘ୍ର ଆବେଦନ କରାଯିବ ବୋଲି ଓକିଲ ସୂଚନା ଦେଇଛନ୍ତି ।
ତେବେ ଉଦୟଭାନୁ ଆଜି ମଧ୍ୟ ତିହାର ଜେଲରେ ରାତ୍ରି ଯାପନ କରିପାରନ୍ତି । କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ବିଚାର କରି ପ୍ରଦାନ କରାଯାଇଥିବା ଜାମିନଦାର ଏବଂ ଦସ୍ତାବିଜ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ସମାପ୍ତ ହେବା ପରେ, କୋର୍ଟ ରବିବାର ଦିନ ମୁକ୍ତି ନିର୍ଦ୍ଦେଶ ଜାରି କରିବେ ବୋଲି ଆଶା କରାଯାଉଛି।
ଭାରତ ମଣ୍ଡପମରେ ଅନୁଷ୍ଠିତ ଏଆଇ ସମିଟ୍ରେ ସାର୍ଟଲେସ୍ ପ୍ରତିବାଦ ମାମଲାରେ ଫେବୃଆରୀ ୨୦ ତାରିଖରେ ଦିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚ ଉଦୟ ଭାନୁଙ୍କୁ ଗିରଫ କରିଥିଲା। ପୋଲିସ ତାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଏବଂ ମାଷ୍ଟରମାଇଣ୍ଡ ବୋଲି ବର୍ଣ୍ଣନା କରିଥିଲା। ଫେବୃଆରୀ ୨୪ ତାରିଖରେ କୋର୍ଟ ତାଙ୍କୁ ଚାରି ଦିନର ପୋଲିସ ହାଜତକୁ ପଠାଇଥିଲେ, ଯାହା ଆଜି ଶେଷ ହୋଇଥିଲା। ରିମାଣ୍ଡ ଅବଧି ଶେଷ ହେବା ପରେ ସକାଳେ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ହାଜର କରାଯାଇଥିଲା।