ନୂଆଦିଲ୍ଲୀ: ଭାରତ ଏବେ ଆଉ ପୂର୍ବ ପରି ରହିନାହିଁ । ଆଜି ଭାରତ କେବଳ ଅସ୍ତ୍ରଶସ୍ତ୍ର କ୍ରୟ କରୁଥିାବ ଦେଶ ନୁହେଁ ବରଂ ସ୍ୱଦେଶୀ ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ ହତିଆରର ରପ୍ତାନକାରୀ ଦେଶରେ ପରିଣତ ହୋଇ ସରି ସାରିଛି । ଏବେ ଭାରତୀୟ ହତିଆରର ରପ୍ତାନୀ କେବଳ ଛୋଟ ଛୋଟ ଦେଶ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ବିକଶିତ ଦେଶ ମଧ୍ୟ ଭାରତର ପ୍ରତିରକ୍ଷା ସିଷ୍ଟମରେ ରୁଚି ଦଖାଉଛନ୍ତି । ଏହି କ୍ରମରେ ଫ୍ରାନ୍ସ ମଧ୍ୟ ଭାରତର ଏକ ଖାସ୍ ସିଷ୍ଟମ କିଣିବାକୁ ଚାହୁଁଛି । ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଭାରତ ଗସ୍ତ କରି ସାରିଛନ୍ତି ।
ଭାରତ ଫ୍ରାନ୍ସଠୁ ୪.୫ ପଲ୍ସ ପିଢିର ୧୧୪ଟି ରାଫେଲ ଲଢୁଆ ବିମାନ କ୍ରୟର ଡିଲ୍ ଦିଗରେ ଆଗକୁ ବଢୁଛି । ଏହା ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କାର ମେଗା ଚୁକ୍ତିନାମା । ଭାରତର ଅସ୍ତ୍ରଶସ୍ତ୍ର କ୍ରୟ ଇତିହାସର ଏହା ସମ୍ଭବତଃ ସବୁଠୁ ବଡ ଡିଲ୍ କୁହାଯାଉଛି । ନିକଟରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଅସ୍ତ୍ରଶସ୍ତ୍ର କ୍ରୟ ପରିଷଦ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇ ସାରିଛନ୍ତି । ଏବେ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ଏହା ଉପରେ ଚୂଡାନ୍ତ ମୋହର ମାରିବେ ।
ପିନାକ ରକେଟ୍ ଉପରେ ଫ୍ରାନ୍ସର ନଜର
ଫ୍ରାନ୍ସ ଏବେ ଭାରତଠୁ ପିନାକ ରକେଟ୍ ସିଷ୍ଟମ କିଣିବା ନେଇ ରୁଚି ଦେଖାଇଛି । ଏହା ଭାରତର ଏକ ଅତ୍ୟାଧୁନିକ ଉନ୍ନତ ମଲଟି ବ୍ୟାରେଲ ରକେଟ୍ ଲଞ୍ଚର ସିଷ୍ଟମ । ଏହା ନିଜ ଶ୍ରେଣୀରେ ଦୁନିଆର ବଡ ସିଷ୍ଟମକୁ କଡା ଟକ୍କର ଦେଇଥାଏ । ଏହାର ସିଧା ମୁକାବିଲା ଆମେରିକାର ହିମାର୍ସ ଓ ରୁଷର ଟୋର୍ଣ୍ଣାଡୋ ଏସ ସହ ହେଉଛି । ରିପୋର୍ଟ ମୁତାବକ ଫ୍ରାନ୍ସ ଓ ଭାରତ ମଧ୍ୟରେ ପିନାକାକୁ ନେଇ ଉଚ୍ଚସ୍ତରରେ ଆଲୋଚନା ଚାଲିଛି ।
ଯଦି ଏହି ଡିଲ୍ ଚୂଡାନ୍ତ ରୂପ ନିଏ ତେବେ ଭାରତ ଅସ୍ତ୍ରଶସ୍ତ୍ର ରପ୍ତାନୀରେ ଏହା ଏକ ବଡ ଉପଲବ୍ଧି ହେବ । ଫ୍ରାନ୍ସ ଏକ ବିକଶିତ ଦେଶ । ବୈଶ୍ୱିକ ହତିଆର ବଜାରରେ ଫ୍ରାନ୍ସ ବହୁତ ବଡ ଖେଳାଳି । ଏହା ସହିତ ନାଟୋ ସଦସ୍ୟ । ଏମିତିରେ ଫ୍ରାନ୍ସର ଭାରତୀୟ ସିଷ୍ଟମ ପ୍ରତି ଭରସା କରିବା ଭାରତର ପ୍ରତିରକ୍ଷା କ୍ଷମତାକୁ ବଡ ମାନ୍ୟତା ମିଳିବ ।
କେଉଁ ପର୍ଯ୍ୟନ୍ତ ପହଞ୍ଚିଛି ଆଲୋଚନା
ନିକଟରେ ଫ୍ରାନ୍ସର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଭାରତ ଆସି ପିନାକା ସିଷ୍ଟମର ପ୍ରଦର୍ଶନ, ଲଞ୍ଚର ଏବଂ ଗୋଳା ବାରୁଦର ମୂଲ୍ୟାଙ୍କନ କରିଛନ୍ତି । ଫ୍ରାନ୍ସ ନିଜ ସେନାର ପୁରୁଣା ଏମ ୨୭୦ ରକେଟ୍ ସିଷ୍ଟମକୁ ଅପଗ୍ରେଡ କରିବାକୁ ଚାହୁଁଛି । ସେ ନିଜର ନୂଆ ରକେଟ୍ ସିଷ୍ଟମ ମଧ୍ୟ ବିକଶିତ କରିବାକୁ ଚାହୁଁଛି । ମାତ୍ର ଏଥିରେ ସମୟ ଲାଗିବ । ଏମିତିରେ ତତ୍କାଳ ଆବଶ୍ୟକତା ପୂରଣ କରିବା ପାଇଁ ପିନାକାକୁ ବିକଳ୍ପ ଭାବେ ଦେଖୁଛି ଫ୍ରାନ୍ସ । ଗତ ଦିନରେ ପିନାକାର ଆଡଭାନ୍ସ ଭର୍ସନର ସଫଳ ପରୀକ୍ଷଣ ମଧ୍ୟ କରାଯାଇଛି ।