ଜ୍ଞାନ ଭାରତୀ ଭିଜିଟର୍ସ ଓ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ନବସୃଜନ ଏବଂ ଭଲ ପଦକ୍ଷେପ ପାଇଁ ଜାତୀୟ ପୁରସ୍କାର ସମାରୋହରେ କେନ୍ଦ୍ରମନ୍ତ୍ରୀ |
ଭାରତର ପୁରାତନ ଜ୍ଞାନ ପରମ୍ପରା ବିଶାଳ ଓ ବିବିଧ ଭଣ୍ଡାର- ଧର୍ମେନ୍ଦ୍ର ପ୍ରଧାନ
• ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷ ପାଇଁନବସୃଜନ ଏବଂ ବେଷ୍ଟ ପ୍ରାକ୍ଟିସେସ କ୍ଷେତ୍ରରେ ଜାତୀୟ ପୁରସ୍କାର ପ୍ରଦାନ କଲେ
• ଜାତୀୟ ଶିକ୍ଷା ନୀତିକୁ ସଫଳ କରିବା ଉପରେ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁଆହ୍ୱାନ
• ଜ୍ଞାନ ଭାରତୀ ଭିଜିଟର୍ସ ସମାରୋହରେ ଉଜ୍ଜୟିନୀ ସ୍ଥିତ ଡୋଙ୍ଗଲା ଗ୍ରାମ, ସୁଶ୍ରୁତ ସଂହିତା, ଶୂନ ଓ ଡେସିମିଲ, ଖଜୁରାହ ମନ୍ଦିର, କୋଣାର୍କ ମନ୍ଦିରର ବୈଜ୍ଞାନିକ ପୃଷ୍ଠଭୂମିର ଉଦାହରଣ ଦେଲେ
• ଶତାବ୍ଦୀ ପୂର୍ବେ ଭାରତ ଏକ ଅତ୍ୟାଧୁନିକ ପଞ୍ଚାୟତ ବ୍ୟବସ୍ଥାକୁ ଗ୍ରହଣ କରିଥିଲା
• ଏହି ଐତିହାସିକ ରତ୍ନଗୁଡ଼ିକ ଭାରତର ସର୍ବପୁରାତନ ସଭ୍ୟତା ଏବଂ ଗଣତନ୍ତ୍ରର ଜନନୀ ଭାବରେ ଦିଆଯାଇଥିବା ମାନ୍ୟତାକୁ ଦୃଢିଭୂତ କରେ
• ଜାତୀୟ ଶିକ୍ଷା ନୀତିର ଭାରତୀୟ ଜ୍ଞାନ ବ୍ୟବସ୍ଥା ଅଧୀନରେ ଭାରତର ପୁରାତନ ଜ୍ଞାନକୁ ପ୍ରୋତ୍ସାହିତ ଏବଂ ପୁନର୍ଜୀବିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି
ନୂଆଦିଲ୍ଲୀ/ଭୁବନେଶ୍ୱର, ଡିସେମ୍ବର ୦୫ –ଭାରତର ପୁରାତନ ଜ୍ଞାନ ପରମ୍ପରା ଦର୍ଶନ, ଗଣିତ, ଜ୍ୟୋତିର୍ବିଜ୍ଞାନ, ଔଷଧ ଓ ସାହିତ୍ୟ ଭଳି ବିବିଧ କ୍ଷେତ୍ରରେ ଏକ ବିଶାଳ ଓ ବିବିଧ ଭଣ୍ଡାର । ପିଢ଼ି ପିଢ଼ି ଧରି ସଂରକ୍ଷିତ ଓ ପ୍ରସାରିତ ଏହି ଜ୍ଞାନ ସଭ୍ୟତାକୁ ରୂପ ଦେବା ସହ ମାନବ ଇତିହାସ ଏବଂ ବିଶ୍ୱ ଉପରେ ଗଭୀର ପ୍ରଭାବ ପକାଇଛି ବୋଲିଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଜ୍ଞାନ ଭାରତୀ ଭିଜିଟର୍ସ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପୁରାତନ ଭାରତ ବିଜ୍ଞାନ, ଗଣିତ, ଜ୍ୟୋତିର୍ବିଜ୍ଞାନ ଏବଂ ସ୍ଥାପତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହିତ ଗଭୀର ଭାବରେ ଜଡ଼ିତ ସଂସ୍କୃତି, ପରମ୍ପରା ଏବଂ ମୂଲ୍ୟବୋଧର ସମୃଦ୍ଧ ସଂସ୍କୃତି ଭାବରେ ଠିଆ ହୋଇଛି । ଏହାର ଉଦାହରଣ ଦେଇ ଉଜ୍ଜୟିନୀ ସ୍ଥିତ ଡୋଙ୍ଗଲା ଗ୍ରାମ, ସୁଶ୍ରୁତ ସଂହିତା, ଶୂନ ଓ ଡେସିମିଲ, ଖଜୁରାହ ମନ୍ଦିର, କୋଣାର୍କ ମନ୍ଦିରର ବୈଜ୍ଞାନିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ପ୍ରାଚୀନ ସ୍ଥଳଗୁଡ଼ିକର ଭବ୍ୟତା ବ୍ୟତୀତ ଭାରତର ସମୃଦ୍ଧ ଐତିହ୍ୟର ପ୍ରମାଣ ରହିଛି । କେବଳ ସ୍ଥାପତ୍ୟ ଦୃଷ୍ଟିରୁ ନୁହେଁ ବରଂ ଗଣତାନ୍ତ୍ରିକ ଆଦର୍ଶର ଅଗ୍ରଣୀ ଭାବରେ ମଧ୍ୟ । ଶତାବ୍ଦୀ ପୂର୍ବେ ଭାରତ ଏକ ଅତ୍ୟାଧୁନିକ ପଞ୍ଚାୟତ ବ୍ୟବସ୍ଥାକୁ ଗ୍ରହଣ କରିଥିଲା । ଏହି ବ୍ୟବସ୍ଥାରେ ଏକ ଶାସନ ମଡେଲ୍ ଏବଂ ନିର୍ବାଚନର ପ୍ରାରମ୍ଭିକ ରୂପ ପ୍ରଦର୍ଶିତ ହୋଇଥିଲା। ଏହି ଐତିହାସିକ ରତ୍ନଗୁଡ଼ିକ ଭାରତର ସର୍ବପୁରାତନ ସଭ୍ୟତା ଏବଂ ଗଣତନ୍ତ୍ରର ଜନନୀ ଭାବରେ ଦିଆଯାଇଥିବା ମାନ୍ୟତାକୁ ଦୃଢିଭୂତ କରେ । ସାଂସ୍କୃତିକ ଗଭୀରତା ଏବଂ ବୌଦ୍ଧିକ ଦକ୍ଷତାର ଏହି ମିଶ୍ରଣ ପ୍ରାଚୀନ ଭାରତର ସ୍ଥାୟୀ ଐତିହ୍ୟ - ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ବ୍ୟାଖ୍ୟା କରେ ।
ଜାତୀୟ ଶିକ୍ଷା ନୀତି ଅଧୀନରେ, ଶିକ୍ଷା ମନ୍ତ୍ରଣାଳୟରେ ନବଗଠିତ ଭାରତୀୟ ଜ୍ଞାନ ବ୍ୟବସ୍ଥା ଅଧୀନରେ ଭାରତର ପୁରାତନ ଜ୍ଞାନକୁ ପ୍ରୋତ୍ସାହିତ ଏବଂ ପୁନର୍ଜୀବିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ସମଗ୍ର ଭାରତରେ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନରେ ଭାରତୀୟ ଜ୍ଞାନ ବ୍ୟବସ୍ଥା କେନ୍ଦ୍ର ପ୍ରତିଷ୍ଠା, ଭାରତୀୟ ଜ୍ଞାନ ବ୍ୟବସ୍ଥାଭିତ୍ତିକ ଗବେଷଣା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ବିଦ୍ୟାଳୟ ପାଠ୍ୟକ୍ରମରେ ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ଯୋଡିବା ଓ ଭାରତୀୟ ଜ୍ଞାନ ବ୍ୟବସ୍ଥା ପାଇଁ ଶିକ୍ଷାଦାନ ଏବଂ ଶିକ୍ଷଣ ସମ୍ବଳର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଭାରତର ପ୍ରାଚୀନ ଜ୍ଞାନ କେବଳ ଅତୀତର ଅବଶେଷ ନୁହେଁ; ଏହା ଏକ ଜୀବନ୍ତ ପରମ୍ପରା ଯାହା ଆମ ଦେଶ ଏବଂ ବିଶ୍ୱ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାର ଶକ୍ତି ରଖିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହାବ୍ୟତିତ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ନବସୃଜନ ଏବଂ ଭଲ ପଦକ୍ଷେପ ପାଇଁ ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷ ପାଇଁ ଜାତୀୟ ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ବ୍ଲକ ଓ ଜିଲ୍ଲା ସ୍ତରରେ ଶିକ୍ଷା ଅଧିକାରୀଙ୍କୁ ନବସୃଜନ ଏବଂ ବେଷ୍ଟ ପ୍ରାକ୍ଟିସେସ ପାଇଁ ପୁରସ୍କୃତ କରିଥିଲେ । ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରିବା ସହଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ନବସୃଜନ ଓ ବେଷ୍ଟ ପ୍ରାକ୍ଟିସ ବା ସର୍ବୋତ୍ତମ ଅଭ୍ୟାସକୁ ଗୁରୁତ୍ୱ ଦେବା ଦରକାର । ଦେଶର ୧ କୋଟି ଶିକ୍ଷକଙ୍କ କାପାସିଟି ବଲଡିଂ ବଢାଇବା ପାଇଁ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେବା ପାଇଁ ନିପାକୁ ପରାମର୍ଶ ଦେଇଥିଲେ । ଜାତୀୟ ଶିକ୍ଷା ନୀତିକୁ ସଫଳ କରିବା ଉପରେ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ ।