କେନିଆରେ ପ୍ରକୃତି ତାର ତାଣ୍ଡବ ରଚିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ପ୍ରଳୟଙ୍କରୀ ବନ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବନ୍ୟା ପ୍ରଭାବରେ କେତେ ଲୋକଙ୍କ ଜୀବନ ଚାଲିଯାଇଛି ତ ପୁଣି କେତେ ଲୋକଙ୍କୁ ସ୍ତାନାନ୍ତରିତ କରାଯାଇଛି । କେନିଆରେ ପ୍ରାୟ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।
ବନ୍ୟା ଫଳରେ ସେଠରେ ବାସ କରୁଥିବା ଲୋକମାନେ ଖାଇବା , ପିଇବା ଓ ରହିବା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେନିଆର ଏଭଳି ପରିସ୍ଥିତିରେ ଭାରତ ୪୦ ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି । ଭାରତ ଦୁଇଟି ପର୍ଯ୍ୟାୟରେ କେନିଆକୁ ରିଲିଫ୍ ସାମଗ୍ରୀ ପଠାଇଛି । ପ୍ରଥମ ପର୍ଯ୍ୟାୟରେ ୨୨ ଟନ୍ ରିଲିଫ୍ ପଠାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୧୮ ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି । ଭାରତ ରିଲିଫ୍ ସାମଗ୍ରୀରେ ଔଷଧ, ଖାଦ୍ୟ, ଜଳ ଭଳି ଜରୁରୀ ସାମଗ୍ରୀ ପଠାଇଛି ।