ଇସଲାମାବାଦ: ଜମ୍ମୁ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗତ ମଙ୍ଗଳବାର-ବୁଧବାର ଠାରୁ ଉତ୍ତେଜନା ବୃଦ୍ଧି ପାଇଛି। ଭାରତୀୟ ସେନା ଦ୍ବାରା ଗତ ୭-୮ ତାରିଖରେ ପହଲଗାମର ପ୍ରତିଶୋଧ ‘ଅପରେସନ ସିନ୍ଦୂର’ ମାଧ୍ୟମରେ ନେଲା ପରେ ପାକିସ୍ତାନ ଭୟଭୀତ ହୋଇଯାଇଛି। ପାକିସ୍ତାନ ଗୁରୁବାର ଓ ଶୁକ୍ରବାର ଦିନ ରାଜସ୍ଥାନ, ପଂଜାବ ଓ ଜମ୍ମୁ କଶ୍ମୀରର ଅନେକ ସ୍ଥାନରେ ଡ୍ରୋନ୍ ଓ ମିସାଇଲ୍ ମାଡ କରିଛି। କିନ୍ତୁ ଏଗୁଡ଼ିକ ସଫଳ ହୋଇପାରି ନାହିଁ। ଭାରତର ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନୀ ଡ୍ରୋନ୍ ଓ ମିସାଇଲ୍କୁ ଧ୍ବଂସ କରିଦେଇଛି। ପାକିସ୍ତାନ ତୁଳନାରେ ଭାରତର ପ୍ରତିରକ୍ଷା ସାମଗ୍ରୀ ଅଧିକ ଶକ୍ତିଶାଳୀ ଥିବା ଯୋଗୁଁ ଶତ୍ରୁରାଷ୍ଟ୍ର ଏବେ ବିଚଳିତ ହୋଇପଡ଼ିଛି। ପାକିସ୍ତାନ ଏଥି ପାଇଁ ଚୀନ, ଇରାନ, କତାର ସମେତ ଅନ୍ୟ ମୁସଲିମ ରାଷ୍ଟ୍ରକୁ ସହଯୋଗ ମାଗିଛି।
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଶୁକ୍ରବାର କହିଛନ୍ତି ଯେ ଉତ୍ତେଜନା କମ କରିବା ପାଇଁ ସରକାର ଇରାନ, ୟୁଏଇ, ସାଉଦି ଆରବ, ଚୀନ୍ ଏବଂ କତାର ସମେତ ଅନ୍ୟାନ୍ୟ ଦେଶ ସହିତ କୂଟନୈତିକ ଯୋଗାଯୋଗ ବଜାୟ ରଖିଛି। ସାଉଦି ଆରବର ଉପ-ବୈଦେଶିକ ମନ୍ତ୍ରୀ ଆଦେଲ ଅଲଜୁବୈର ନୂଆଦିଲ୍ଲୀ ଗସ୍ତ ପରେ ଇସଲାମାବାଦରେ ପହଞ୍ଚିବା ପରେ ତାଙ୍କର ମନ୍ତବ୍ୟ ଆସିଛି।
ଜାତୀୟ ପରିଷଦକୁ ସମ୍ବୋଧିତ କରି ଆସିଫ୍ ଏହା ମଧ୍ୟ ଦାବି କରିଛନ୍ତି ଯେ ସମ୍ପ୍ରତି ଭାରତୀୟ ଡ୍ରୋନ୍ ଆକ୍ରମଣ ତୁରନ୍ତ ଆକ୍ରମଣ ପାଇଁ ନୁହେଁ, ବରଂ ଗୁପ୍ତଚର ଉଦ୍ଦେଶ୍ୟରେ କରାଯାଇଥିଲା। ଭାରତୀୟ ଡ୍ରୋନଗୁଡ଼ିକୁ ସୁରକ୍ଷିତ ଅଞ୍ଚଳରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା ଯାହା ଦ୍ୱାରା ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ କ୍ଷତି ନ ପହଞ୍ଚାଇ ସେଗୁଡ଼ିକୁ ଅଟକାଯାଇପାରିବ ଏବଂ ନିଷ୍କ୍ରିୟ କରାଯାଇପାରିବ।
ସୂଚନା ମନ୍ତ୍ରୀ ଆଟ୍ଟା ତାରାର ଦାବି କରିଛନ୍ତି ଯେ ବୁଧବାରରୁ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ଅତି କମରେ ୨୯ଟି ଡ୍ରୋନକୁ ଅଟକାଯାଇଥିଲା ଏବଂ ଶୁକ୍ରବାର ସୁଦ୍ଧା ଆହୁରି ୪୮ଟି ଡ୍ରୋନକୁ ଖସାଇ ଦିଆଯାଇଥିଲା।
ଅଧିକ ପଢ଼ନ୍ତୁ: ସାମୁଦ୍ରିକ ସୀମାରେ ସୁରକ୍ଷା କଡ଼ାକଡ଼ି, ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଜାରି