ନୂଆଦିଲ୍ଲୀ: ଓମାନ ଉପକୂଳ ନିକଟରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଭାରତ ସରକାର ଅତ୍ୟନ୍ତ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ଭାରତ ପକ୍ଷରୁ ଏକ ବଡ଼ ପଦକ୍ଷେପ ସ୍ୱରୂପ ଆମେରିକାକୁ ସ୍ପଷ୍ଟ ଓ କଡ଼ା ସନ୍ଦେଶ ଦିଆଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ଆମେରିକାର ପ୍ରତିନିଧିଙ୍କୁ ସମନ କରି ଗୁରୁତ୍ୱପୂର୍ଣ୍ଣ ବିରୋଧ ପତ୍ର ଜାରି କରିଛି।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଚାର୍ଜ ଡି ଆଫେୟାର୍ସ ଜେସନ ମିକ୍ସଙ୍କୁ ମନ୍ତ୍ରଣାଳୟକୁ ତଲବ କରାଯାଇଥିଲା। ବିଦେଶ ମନ୍ତ୍ରଣାଳୟର ଆମେରିକା ବ୍ୟାପାର ଅତିରିକ୍ତ ସଚିବ ନାଗରାଜ ନାଇଡୁ ଆମେରିକୀୟ ଦୂତାବାସର ଡେପୁଟି ଚିଫ୍ ଅଫ୍ ମିଶନ ଜେସନ ମିକ୍ସଙ୍କୁ ଡକାଇ ଭାରତର ଆପତ୍ତି ଓ ଗଭୀର ଚିନ୍ତା ବାବଦରେ ଅବଗତ କରାଇଛନ୍ତି।
‘ସେଟେବେଲୋ’ ଜାହାଜ ଉପରେ ହୋଇଥିଲା ଆକ୍ରମଣ, ୩ ଭାରତୀୟ ନିଖୋଜ
ଓମାନ ଉପକୂଳରେ ‘ସେଟେବେଲୋ’ ନାମକ ଏକ ବାଣିଜ୍ୟିକ ଜାହାଜ ଉପରେ ଏହି ଆକ୍ରମଣ ହୋଇଥିଲା। ଏହି ଜାହାଜରେ ମୋଟ ୨୪ ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲେ। ତେବେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇ ୨୧ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ରକ୍ଷା କରାଯାଇଥିବା ବେଳେ, ଏବେ ବି ୩ ଜଣ ଭାରତୀୟ କର୍ମଚାରୀ ନିଖୋଜ ଅଛନ୍ତି।
ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ଅପିଲ୍
ସମୁଦ୍ର ମଧ୍ୟରେ ବାରମ୍ବାର ବାଣିଜ୍ୟିକ ଜାହାଜଗୁଡ଼ିକୁ ଟାର୍ଗେଟ୍ କରାଯିବା ନେଇ ଭାରତ ଗଭୀର ଉଦ୍ବେଗ ପ୍ରକାଶ କରିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ଅଞ୍ଚଳରେ ଚାଲିଥିବା ସାମରିକ ସଂଘର୍ଷ ଯୋଗୁଁ ଆନ୍ତର୍ଜାତୀୟ ଜଳପଥରେ ଯାତାୟାତ କରୁଥିବା ଜାହାଜଗୁଡ଼ିକ ସୁରକ୍ଷିତ ରହୁନାହାନ୍ତି।ଭାରତ ପୁଣିଥରେ ସମ୍ପୃକ୍ତ ଅଞ୍ଚଳରେ ତୁରନ୍ତ ଉତ୍ତେଜନା ହ୍ରାସ କରିବା ଏବଂ କୂଟନୈତିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଦାବି କରିଛି।