ନୂଆଦିଲ୍ଲୀ: ଭାରତରେ ସଂପ୍ରତି ଡ୍ୟୁଟି ସମୟକୁ ନେଇ ବିତର୍କ ଜାରି ରହିଛି । ଲାର୍ସନ ଆଣ୍ଡ ଟ୍ରୁବୋ(ଏଲଆଣ୍ଡଟି)ର ଚେୟାରମ୍ୟାନ ଏସଏନ ସୁବ୍ରମଣ୍ୟମ ୯୦ ଘଣ୍ଟା କାମ କରାଯିବାର ପରାମର୍ଶ ଦେଇ ବିତର୍କକୁ ଆହୁରି ସରଗରମ କରିଛନ୍ତି । ସୁବ୍ରମଣ୍ୟମ ଉତ୍ପାଦନ ବୃଦ୍ଧି ପାଇଁ ଲମ୍ବା ସମୟ କାମ କରିବା ବିଚାରକୁ ସମର୍ଥନ କରିଛନ୍ତି । ସେ ଏହା ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଯେ, କର୍ମଚାରୀଙ୍କୁ ରବିବାର ବି କାମ କରିବା ଉଚିତ୍ ।
ସେ କର୍ମଚାରୀଙ୍କ ସହ ଆଲୋଚନା ବେଳେ କହିଛନ୍ତି, ମୁଁ ଦୁଃଖିତ ଯେ ଆପଣଙ୍କୁ ରବିବାର କାମ କରାଇ ପାରୁନି । ଯଦି ମୁଁ ଆପଣଙ୍କୁ ରବିବାର କାମ କରାଇ ଦିଅନ୍ତି ତେବେ ଆହୁରି ଖୁସି ହୁଅନ୍ତି । ସେହି ଦିନ ଆପଣମାନେ ଘରେ ବସି କଣ କରୁଛନ୍ତି ? ଆପଣ ନିଜ ସ୍ତ୍ରୀଙ୍କୁ କେତେ ସମୟ ଦେଖିବେ ?
ଏସଏନ ସୁବ୍ରମଣ୍ୟମ ପ୍ରଥମ ବ୍ୟକ୍ତି ନୁହନ୍ତି ଯିଏ କାମ କରିବାର ସମୟ ଅଧିକ ବଢାଯିବା ସପକ୍ଷରେ ଯୁକ୍ତି ବାଢିଛନ୍ତି । ତାଙ୍କ ପୂର୍ବରୁ ଇନଫୋସିସର ସହ ସଂସ୍ଥାପକ ନାରାୟଣ ମୂର୍ତ୍ତି ସପ୍ତାହକୁ ଭାରତୀୟ ଯୁବପିଢିଙ୍କୁ ୭୦ ଘଣ୍ଟା କାମ କରିବା ଉଚିତ୍ ବୋଲି ଯୁକ୍ତି ବାଢି ସାରିଛନ୍ତି । ଭାରତର ପ୍ରଗତି ପାଇଁ ଯୁବକଙ୍କୁ ଅଧିକ ସମୟ କାମ କରିବା ଦରକାର ବୋଲି ସେ କହି ଆସିଛନ୍ତି । ଏହା ପରଠୁ ଭାରତରେ ଏହି ପ୍ରସଙ୍ଗକୁ ନେଇ ବିତର୍କ ଜାରି ରହିଛି । ଅନେକ ସିଇଓ ଓ ମାଲିକ ଏହାର ସମର୍ଥନ କରିଛନ୍ତି । ତେବେ କାମକୁ ନେଇ ଭାରତରେ କଣ କହୁଛି ଆଇନ -
୧ - ସର୍ବନିମ୍ନ ବେତନ ଅଧିନିୟମ, ୧୯୪୮- ଏହି ଅଧିନିୟମ ଆଧାରରେ ସପ୍ତାହକୁ ୪୦ ଘଣ୍ଟା କିମ୍ବା ପ୍ରତି ଦିନ ୯ ଘଣ୍ଟା ପର୍ଯ୍ୟନ୍ତ ସୀମିତ କରାଯାଇଛି । ଏହା ବ୍ୟତୀତ ଗୋଟିଏ ଘଣ୍ଟାର ବିରତି ମଧ୍ୟ ରହିଛି ।
୨ – କାରଖାନା ଅଧିନିୟମ, ୧୯୪୮- ଏହି ଅଧିନିୟମ କହୁଛି ଯେ, ଯଦି ଜଣେ କର୍ମଚାରୀ ଦିନକୁ ଆଠ ଘଣ୍ଟାରୁ ଅଧିକ କାମ କରୁଛି ତେବେ ତାଙ୍କୁ ଦ୍ୱିଗୁଣ ବେତନ ଦିଆଯିବ ।
୩ – ଦୋକାନ ଓ ପ୍ରତିଷ୍ଠାନ ଅଧିନିୟମ(ଏସଇଏ)- ଏହି ଅଧିନିୟମ ଆଧାରରେ କାମ କରିବା ଦିନମାନଙ୍କରେ ମଝିରେ ବିଶ୍ରାମ ନେବା ବାଧ୍ୟତାମୂଳକ ରହିଛି ।
୪ – ଭାରତ ସଂହିତା- ଏହି ଅଧିନିୟମ କର୍ମଚାରୀଙ୍କୁ ନିର୍ଦ୍ଧାରିତ ଘଣ୍ଟାରୁ ଅଧିକ ସମୟ କାମ କରିବାର ଅନୁମତି ଦେଇଥାଏ । ମାତ୍ର ମୋଟ୍ କାର୍ଯ୍ୟ ସମୟ(ଓଭର ଟାଇମ) ଦିନକୁ ୧୦ ଘଣ୍ଟାରୁ ଅଧିକ ହୋଇ ପାରିବ ନାହିଁ ।