ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରର ଅଧିକାଂଶ ଅଞ୍ଚଳରେ ସୋମବାର ମୂଷଳ ଧାରାରେ ବର୍ଷା ହୋଇଛି । ରାସ୍ତା ଜଳମଗ୍ନ ହେବା ସହ ଭୀଷଣ ଟ୍ରାଫିକ ଜାମ ହୋଇଥିଲା । ଗୁରୁଗ୍ରାମରେ ପ୍ରବଳ ବର୍ଷା କାରଣରୁ ଚାରିଆଡେ ପାଣି ହିଁ ପାଣି ଦେଖିବାକୁ ମିଳିଥିଲା । ଫରିଦାବାଦରେ ମଧ୍ୟ ସ୍ଥିତି ଖରାପ ହୋଇ ପଡିଥିଲା । ଘନ ବାଦଲ ଓ ପ୍ରବଳ ବର୍ଷା କାରଣରୁ ଦିନ ତିନିଟାରେ ଦିଲ୍ଲୀର ଅନେକ ଅଞ୍ଚଳରେ ଦୃଶ୍ୟମାନ ସ୍ତର ୮୦୦ ମିଟରରୁ ତଳକୁ ଖସି ଆସିଥିଲା । ଏହି କାରଣରୁ ୪୦୦ରୁ ଅଧିକ ଉଡାଣ ପ୍ରଭାବିତ ହୋଇଛି ।
ପାଣିପାଗ ବିଭାଗ ମଙ୍ଗଳବାର ଦିଲ୍ଲୀ ସହିତ ଏନସିଆରର ଅଲଗା ଅଲଗା ଅଞ୍ଚଳରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି । ବିଶେଷ କରି ଗୁରୁଗ୍ରାମରେ ଭୀଷଣ ବର୍ଷାର ସମ୍ଭାବନା ରହିଛି । ଏହାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏବେ ଦିଲ୍ଲୀରେ ବର୍ଷା ଲାଗି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଅନ୍ୟପଟେ ଦିଲ୍ଲୀରେ ଯମୁନା ନଦୀ ଫୁଲି ଉଠିଛି । ଏଥିରେ ବନ୍ୟା ହେବାର ଆଶଙ୍କା ଦେଖା ଦେଇଛି । ମଙ୍ଗଳବାର ଯମୁନାର ଜଳସ୍ତର ବିପଦ ସଙ୍କେତ ୨୦.୫.୩୩ ମିଟରରୁ ପ୍ରାୟ ଏକ ମିଟର ଉଚ୍ଚ ପର୍ଯ୍ୟନ୍ତ ପହଞ୍ଚିପାରେ । ସରକାର ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଚେତାବନୀ ଜାରି କରିଛନ୍ତି ଏବଂ ଯମୁନାର ତଳିଆ ଅଞ୍ଚଳରେ କଡା ନଜର ରଖାଯାଇଛି । ବନ୍ୟା ନିୟନ୍ତ୍ରଣ ଟିମକୁ ୨୪ ଘଣ୍ଟା ଆଲର୍ଟରେ ରଖାଯାଇଛି । ଯମୁନା କୁଳରେ ବସବାସ ଇଲାକାକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ବିଭାଗ(ଡିଡିଏମଏ) ଯମୁନାରେ ବନ୍ୟାର ବିପଦକୁ ଦେଖି ସୋମବାର ପୁରୁଣା ରେଳ ପୋଲ ବନ୍ଦ ରଖିବାକୁ ଆଦେଶ ଦେଇଛି । ଏହା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ୫ଟାରୁ ଯେ ଯେବେ ଯମୁନାର ଜଳସ୍ତର ୨୦୬ ମିଟର ଅତିକ୍ରମ କରିବ ପୁରୁଣା ରେଳ ପୋଲକୁ ଯାତାୟତ ପାଇଁ ବନ୍ଦ ରଖାଯିବ । ଏହା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜାରି ରହିବ ।