ବିଭିନ୍ନ ସମୟରେ ପରିବେଶ ସଚେତନତା କାରଣରୁ କାର ଫ୍ରି ଡେ' ଅବସରରେ ବିଭିନ୍ନ ରାଜ୍ୟର ମନ୍ତ୍ରୀ ଓ ଅଧିକାରୀଙ୍କୁ ବାଇକ କିମ୍ବା ସାଇକେଲରେ ଅଫିସ ଆସିବାର ଅନେକ ସମୟରେ ଦେଖିବାକୁ ମିଳିଛି । କେହି କେହି ନିଜେ ଚଳାଇ ଆସନ୍ତି ବା ଅନ୍ୟ କେହି ସହଯୋଗୀ ଓ ସୁରକ୍ଷାକର୍ମୀଙ୍କ ଗାଡିରେ ଆସନ୍ତି । ହେଲେ ବୁଲେଟରେ ଫିଲ୍ମ ଷ୍ଟାଇଲରେ ଏଣ୍ଟ୍ରି ମାରିଲେ ମୁଖ୍ୟମନ୍ତ୍ରୀ । କୌଣସି ସହଯୋଗୀଙ୍କ ବାଇକରେ ନୁହେଁ ବରଂ ନିଜେ ବୁଲେଟ ଚଳାଇ । ଏପରି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ରାସ୍ତାରେ ଦେଖିବାକୁ ମିଳିଛି । ହେଲେ ଏହି ମୁଖ୍ୟମନ୍ତ୍ରୀ ଜଣକ କୌଣସି ଯୁବ ମୁଖ୍ୟମନ୍ତ୍ରୀ ନୁହନ୍ତି ବରଂ ହରିୟାଣାର ବୟସ୍କ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ।ଆଜି ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ହରିୟାଣାର କର୍ଣ୍ଣଲ ସହରର ରାଜରାସ୍ତାରେ ଏପରି ବୁଲେଟ ରାଜା ଅନ୍ଦାଜରେ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଗତକାଲି କର୍ଣ୍ଣଲରେ କାର ଫ୍ରୀ ଡେ' ପାଳନ କରାଯାଇଥିଲା | ତମାମ ସରକାରୀ ଅଧିକାରୀ ଓ ଜନପ୍ରତିନିଧିମାନେ କାର ବ୍ୟବହାରରୁ ବିରତ ହୋଇଛନ୍ତି | ପ୍ରାୟ ୩ ସପ୍ତାହ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜେ ଏହି କାର ଫ୍ରୀ ଡେ' ଘୋଷଣା କରିଥିଲେ । ତେବେ କୌଣସି କାର୍ଯ୍ୟରେ କର୍ଣ୍ଣଲ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ରାଜଧାନୀ ଚଣ୍ଡିଗଡ ଫେରିବାର ଥିଲା । ମୁଖ୍ୟମନ୍ତ୍ରୀଙ୍କ ରାଜଧାନୀ ପ୍ରତ୍ୟାବର୍ତ୍ତନ ପାଇଁ ହେଲିକପ୍ଟର ବ୍ୟବସ୍ଥା ହୋଇଥିଲା । ହେଲେ ମୁଖ୍ୟମନ୍ତ୍ରୀ PWD ଗେଷ୍ଟ ହାଉସରୁ ବୁଲେଟରେ ହେଲିପ୍ୟାଡରେ ପହଞ୍ଚିଥିଲେ । ନିଜେ ମୁଣ୍ଡରେ ହେଲମେଟ ଲଗାଇ ଏକକୀ ବୁଲେଟ ଚଳାଇଥିଲେ । ସୁରକ୍ଷାକର୍ମୀମାନେ ମଧ୍ୟ ବାଇକରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ରହିଥିଲେ । ସମ୍ପୂର୍ଣ୍ଣ ଜଣେ ଯୁବକଙ୍କ ପରି ମୁଖ୍ୟମନ୍ତ୍ରୀ ଖଟ୍ଟର ବୁଲେଟ ଚଳଇବା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି, ''ଆମର ଭବିଷ୍ୟତ ପିଢି ପାଇଁ ଏକ ମେଡିସିନ ଫ୍ରୀ ହରିୟାଣା ସୃଷ୍ଟି କରିବା ସହିତ, ସେମାନଙ୍କୁ ମଧ୍ୟ ସେମାନଙ୍କର ସ୍ବାସ୍ଥ୍ୟ ସହ ପରିବେଶ ସୁରକ୍ଷା ବିଷୟରେ ସଚେତନ କରାଇବାକୁ ପଡ଼ିବ । ପ୍ରତି ମଙ୍ଗଳବାର କର୍ଣ୍ଣଲରେ କାରମୁକ୍ତ (କାର ଫ୍ରୀ) ଦିବସ ପାଳନ ହେବ । ସମସ୍ତ ସରକାରୀ କର୍ମଚାରୀ କେବଳ ସାଇକେଲ କିମ୍ବା ମୋଟର ସାଇକେଲରେ ଯାତ୍ରା କରିବେ । ଯଦି ମୁଁ ନିଜେ କର୍ଣ୍ଣଲକୁ ଆସେ, ତେବେ ମୁଁ ମଧ୍ୟ ବାଇକ ଯୋଗେ ଯାତ୍ରା କରିବି ।''
ଅଧିକ ପଢ଼ନ୍ତୁ : ଲଣ୍ଡନରେ ଆୟୋଜିତ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀରେ ଉତ୍ତରାଖଣ୍ଡ ସିଏମ୍ ପୁଷ୍କର ସିଂ ଧାମିଙ୍କୁ ଭବ୍ୟ ସ୍ୱାଗତ