ନୂଆଦିଲ୍ଲୀ: ନୂଆଦିଲ୍ଲୀ ଡିଫେନ୍ସ କଲୋନୀର ଏକ କ୍ଲବ୍ ବାହାରେ ଠିଆ ହୋଇଥିବା ଜଣେ ୧୭ ବର୍ଷୀୟା ନାବାଳିକା ଓ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଶନିବାର ମଧ୍ୟରାତ୍ରିରେ ଏହି ଘଟଣା ଘଟିଛି। ପୀଡ଼ିତା ନାବାଳିକା ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସା ପାଇଁ ସଫଦରଜଙ୍ଗ ହସ୍ପିଟାଲରେ ପହଞ୍ଚିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ସେଠାକାର ଡାକ୍ତରଖାନା ପ୍ରଶାସନ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।
ଅଭିଯୁକ୍ତମାନେ ହେଲେ ଶିବମ ପର୍ଛା, ଅମନ ପାଲ, ଆଶିଷ ଓରଫ ଅଂଶୁମାନ, ଅମର ମେହେରା ଓ ଅଭିଷେକ ଓରଫ ଇଶୁ। ସେମାନେ ଦକ୍ଷିଣ ଦିଲ୍ଲୀରେ ଡ୍ରାଇଭର ଏବଂ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରନ୍ତି। ନାବାଳିକାର ବାପା କାର୍ପେଣ୍ଟର ଭାବେ କାମ କରୁଥିବା ବେଳେ ମାଉସୀଙ୍କ ସ୍ୱାମୀ ଦକ୍ଷିଣ ଦିଲ୍ଲୀରେ ଫୁଡ୍ ଡେଲିଭରି ଏକ୍ଜିକ୍ୟୁଟିଭ୍ ଭାବେ କାମ କରନ୍ତି। ଶନିବାର ରାତିରେ ସେ ଡିଫେନ୍ସ କଲୋନୀର ଏକ କ୍ଲବକୁ ଯାଇଥିଲେ।ସେଠାରେ ଯୁବତୀଙ୍କ ବୟସ କମ୍ ଥିବାରୁ ତାଙ୍କୁ କ୍ଲବ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା। ସେମାନେ ମଧ୍ୟରାତ୍ରିରେ କ୍ଲବ ନିକଟରେ ଠିଆ ହୋଇଥିବା ବେଳେ ଅଭିଯୁକ୍ତମାନେ ଏକ ମାରୁତି ସୁଇଫ୍ଟ ଡିଜାୟର କାର୍ରେ ଆସି ସେମାନଙ୍କୁ ମାଲବ୍ୟ ନଗରର ଅନ୍ୟ ଏକ କ୍ଲବକୁ ନେବାକୁ କହିଥିଲେ। ଦୁହେଁ କାର୍ ରେ ବସିବାକୁ ରାଜି ହୋଇଥିଲେ। ଏହାପରେ ଅଭିଯୁକ୍ତ ମାନେ ତାଙ୍କୁ ମାଲବ୍ୟ ନଗରର ଏକ କ୍ଲବକୁ ନେବା ପରିବର୍ତ୍ତେ ଗୁରୁଗ୍ରାମ ନେଇଯାଇଥିଲେ। ସେଠାରେ ସେମାନଙ୍କୁ ମଦ ସହ ଥଣ୍ଡା ପାନୀୟ ଦିଆଯାଇଥିଲା।